State

ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ର ବାର୍ତା ବାଂଟିଲା ବିଏମସି, ନାଗରିକ ସଂଯୋଗକୁ ଗୁରୁତ୍ୱ

ଓଡିଶାରେ ପ୍ଲାଷ୍ଟିକ୍ ନିୟନ୍ତ୍ରଣ ଅଭିଜାନ ପ୍ରମୁଖ ସହର ଭୁବନେଶ୍ୱର , କଟକ ,ସମ୍ବଲପୁର ,ରାଉରାକଲା, ବ୍ରହ୍ମପୁର ଓ ପୁରୀରେ ଚାଲିଥିବା ବେଳେ ସାରା ଭାରତର ସହର ମାନଙ୍କ ପାଇଁ ଅସିଯାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ର ପରୀକ୍ଷା କାର୍ଯକ୍ରମ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ପାଇଁ ମହାନଗର ନିଗମର କ୍ଷେତ୍ର ପରିକ୍ରମା ଏବଂ ନାଗରିକ ସଂଯୋଗକୁ ଗୁରୁତ୍ୱ ଦେଇ ବିବିଧ କାର୍ଯ୍ୟମାନ କରାଯାଉଛି । ପ୍ଲାଷ୍ଟିକ୍ ର ନିୟନ୍ତ୍ରଣ ବ୍ୟବସ୍ଥାର କିପରି ସମାଜ ଏବଂ ନାଗରିକଙ୍କ ଆଚରଣଗତ ପରିବର୍ତନ ଅଣିପାରିବ, ଏହା ନେଇ ଏକ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବଡ଼ଗଡ଼ ଉଚ୍ଚ ବିଦ୍ୟାଳୟ ପରିସର ରେ ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବାରଣ କରାଯାଇଥିବା ପଲିଥିନ୍ କ୍ୟାରିବ୍ୟାଗ କିପରି ଶାରୀରିକ, ସାମାଜିକ ଏବଂ ପରିବେଶ ଅବକ୍ଷୟର କାରଣ ହେଉଛି ଏ ବାବଦରେ ବିଏମସି ର ଅଭିଜ୍ଞ କର୍ମୀମାନେ ବୀଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଡାକ୍ତର ରଜନୀକାନ୍ତ ଦାସ,ଏକ୍ସପର୍ଟ ବିଏମ୍ସି, ଖାଦ୍ୟ ବିଷକ୍ତିକରଣ ଓ ପଲିଥିନ ତଥା ପ୍ଲାଷ୍ଟିକ୍ ର ସଂସର୍ଗକୁ ତନ୍ନତନ୍ନ କରି ବୁଝାଇଥିଲେ । ଶରୀରର ଖାଦ୍ୟନଳୀ, ପାଚନ କ୍ରିୟା, ଏବଂ ଖାଦ୍ୟରୁ ଶକ୍ତି କଥା ବୁଝାଇ ପଲିଥିନ ଯୁକ୍ତ ଖାଦ୍ୟାଭ୍ୟାସରେ ବିଷକ୍ରିୟା କିପରି ଶରୀରର ଅବକ୍ଷୟ କରୁଛି ତାହା ବୁଝାଇଥିଲେ । ଗରମ ଖାଦ୍ୟକୁ ପଲିଥିନ ରେ ରଖିବା ଏହାକୁ ମଧ୍ୟ ନେଇ ଫ୍ରିଜ୍ ଇତ୍ୟାଦିରେ ଅଧିକ ଦିନ ରଖିବା ଓ କିଛିଦିନ ପରେ ଏହାକୁ ଖାଇବାର ଅଭ୍ୟାସରେ ପରିବର୍ତନ ଅନିବାର୍ଯ୍ୟ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ ।

ଆପଣା ଅଭ୍ୟାସକୁ ବଦଳାଇବା, ଏହା ସାଙ୍ଗକୁ ଘର ପରିବାର ଓ ପଡୋଶୀଙ୍କ ଆଚରଣଗତ ପରିବର୍ତନ ଅଣିବାରେ ଛାତ୍ରଛାତ୍ରୀ ଏବଂ ଯୁବ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବାରଣ କରାଯାଇଥିବା ପଲିଥିନ କ୍ୟାରିବ୍ୟାଗ୍, ଥର୍ମୋକୁଲ୍ ପାତ୍ର, ୨୦୦ ମିଲି ଲିଟରରୁ କମ୍ ପାଣି ବୋତଲ ବାବଦରେ ବୁଝାଇ ଗ୍ରିଭାନ୍ସ ରିଡ୍ରେସାଲ ଅଫିସର ରମେଶଚନ୍ଦ୍ର ସ୍ୱାଇଁ ଏକ ଗୀତ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ବୋଧଗମ୍ୟତା ବଢାଇଥିଲେ । ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ରେ ଭୁବନେଶ୍ୱର ମହାନଗର ନିଗମ ଭାରତ ବର୍ଷର ପ୍ରାୟ ୫୦୦ ସହର ମଧ୍ୟରେ ପ୍ରତିଯୋଗିତା କରୁଛି । ସହରକୁ ପରିଷ୍କାର ରଖିବା,ସହରର ପରିମଳ ବ୍ୟବସ୍ଥା ବାବଦରେ ମତାମତ ଦେବା, ପରିମଳ ପାଇଁ ସ୍ୱଚ୍ଛତା ଅପ ମାଧ୍ୟମରେ ଅଭିଯୋଗ ଜଣାଇ ପରିମଳକୁ ଅଗେଇ ନେବାରେ ନାଗରିକ ଏବଂ ଜନସାଧାରଣଙ୍କ ସହଯୋଗର ନିହାତି ଆବଶ୍ୟକତା ରହିଛି । ଯେଉଁ ସହରର ନାଗରିକ ମାନେ ଏଥିରେ ଯେତେ ଅଧିକା ଏବଂ ଆଗୁଆଥିବେ ଏହି ସହରକୁ ସେତେ ଅଧିକ ନମ୍ବର ମିଳିବ ବୋଲି କମ୍ୟୁନିକେସନ ଏକ୍ସ୍ପର୍ଟ, ନିହାର ରଂଜନ ପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁୁ ବୁଝାଇ କହିଥିଲେ । ଏଥିରେ ଛାତ୍ରଛାତ୍ରୀ,ଏବଂ ଅଭିବାବକ ମାନଙ୍କ ଭୂମିକା ଯଥେଷ୍ଟ ରହିଛି, ତାହା ଅଲୋଚନା କରାଯାଇଥିଲା ।

ସ୍ୱଚ୍ଛମଂଚ ହେଉଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ର ନାଗରିକ ଭାଗଦାନ ର ଏକ ନମୁନା । ଏହାର କାର୍ଯ୍ୟକାରିତାରେ ମଧ୍ୟ ସହରର ଆକଳନ କରାଯିବ ବୋଲି ସୋସିଆଲ ମେଡିଆ ଏକ୍ସପର୍ଟ ହେମନ୍ତ ପ୍ରଧାନ ଓ ସଂବିତ୍ ମହାପାତ୍ର ପିଲାମାନଙ୍କୁ ବୁଝାଇ ଥିଲେ । ସ୍ୱଚ୍ଛତା ଆପ୍ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ପରିମଳ ଜନିତ ସମାଧାନ ନିମନ୍ତେ କିପରି କେଉଁ ଟୋଲଫ୍ରି ନମ୍ବର (୧୮୦୦୩୪୫୦୦୬୧) ରେ ଜଣାଇବେ ତାହାର ନମୂନା ଜଣାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ପଣ୍ଡା ନିକଟ ଭବିଷ୍ୟତରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଇ ପ୍ଲାଷ୍ଟିକର ନିୟନ୍ତ୍ରିତ ବ୍ୟବହାର ଏବଂ ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ରେ ନାଗରିକ ମାନଙ୍କ ଭାଗଦାନ ବାବଦରେ ନିକଟବର୍ତୀ ଅଂଚଳରେ ଜଣାଇବାର ପ୍ରତିଶୃତି ଦେଇଥିଲେ । ଏହା ମଧ୍ୟ ବିଏମସିର ସହଭାଗିତାରେ କରାଇବାକୁ ସେ ସୂଚନା ଦେଇଥିଲେ । ଏହିପରି ବିଦ୍ୟାଳୟ କାର୍ଯ୍ୟକ୍ରମ ଭୁବନେଶ୍ୱରର ମହାନଗର ନିଗମାଚଂଳର ୩ଟି ଜୋନରେ ଚାଲୁ ରହିଛି । କମ୍ୟୁନିଟି ସେଂଟର ବସ୍ତି ଅଂଚଳ, ସରକାରୀ ବିଦ୍ୟାଳୟ ଏବଂ ଆରଡବ୍ଲ୍ୟୁ ଏମାନଙ୍କୁ ନେଇ ଏହି ପ୍ରକାରର ସଚେତନତା ଜାରି ରହିଛି । ଏପରିକି ଲିଙ୍ଗରାଜ ମନ୍ଦିର ପ୍ରଶାସନ ଏହି ଅଭିଯାନରେ ସାମିଲ ହୋଇ ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକର ନିୟନ୍ତ୍ରିତ ବ୍ୟବହାରକୁ ସ୍ୱାଗତ ଜଣଇଛି । ବିଏମସି ଏସବିଏ ସେଲର ମୁଖ୍ୟ ମନୋରଂଜନ ସାହୁ, ସୋସିଆଲ ଏକ୍ସପର୍ଟ ଗ୍ୟାନେନ୍ଦ୍ର ପ୍ରଧାନ ଏବଂ ଇଂଜିନିୟର ମୋନାଲିସା ପାଣି ଓ ସଂଯୋଜକ ଅବିନାଶ ବଇରିଗଂଜନ କାର୍ଯ୍ୟ ସଂଯୋଜନା କରିଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top