Feature

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସମ୍ମାନାର୍ଥେ ଷ୍ଟାଚ୍ୟୁ ଅଫ୍ ୟୁନିଟି

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ୧୮୭୫ ମସିହା ଅକ୍ଟୋବର ୩୧ରେ ଗୁଜୁରାଟର ନାଦିଆଦ ନାମକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ହେବା ସହିତ ଭାରତ ବର୍ଷର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । କରମସାଦ, ପେଟଲାଡ ଏବଂ ବୋରସାଦରେ ସ୍କୁଲ ଶିକ୍ଷା ଲାଭକରି ୧୮୯୭ ମସିହାରେ ମାଟ୍ରିକ ପାସ୍ କରିଥିଲେ । ମୁଳରୁ ତାଙ୍କର ଆଇନ ପଢିବା ଲକ୍ଷ୍ୟ ଥିବାରୁ ୧୯୧୩ରେ ଇଂଲଣ୍ଡର ମିଡିଲ୍ ଟେମ୍ପଲରୁ ଆଇନ୍ରେ ବାରିଷ୍ଟରୀ ପାସ୍ କରିବା ପରେ ଭାରତକୁ ପ୍ରତ୍ୟାବର୍ତନ କରିଥିଲେ । ପ୍ରଥମେ ସେ ଗୋଧ୍ରାରୁ ଆଇନ୍ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପରେ ଅହମ୍ମଦାବାଦକୁ ସ୍ଥାନାନ୍ତର କଲେ । ୧୯୨୮ ମସିହାରେ ଇଂରେଜ ସରକାରଙ୍କର ବର୍ଦ୍ଧିତ ଭୂମିକର ବିରୋଧରେ ବର୍ଦ୍ଦୋଳି ଠାରେ ଯେଉଁ ଆନ୍ଦୋଳନ ହେଲା ପଟେଲ ତାହାର ନେତୃତ୍ୱ ନେଇଥିଲେ ଏବଂ ବର୍ଦ୍ଦୋଳିର ସଫଳତା ତାଙ୍କୁ ସମଗ୍ର ଦେଶରେ ସର୍ଦ୍ଦାର ରୂପେ ପରିଚିତ କରାଇଥିଲା । ଆଇନ୍ ବ୍ୟବସାୟ କରୁଥିବା ବେଳେ ସେ ଜଣେ ଉଚ୍ଚ କୋଟିର ଆଇନଜ୍ଞ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଲେ ଏବଂ୧୯୨୦ରେ ସେ ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇଥିଲେ । ମହାତ୍ମା ଗାନ୍ଧୀ ଜେଲ୍ରେ ଥିବାରୁ ସେ ୧୯୨୩ ରେ ନାଗପୁର କଂଗ୍ରେସ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ । ୧୯୩୦ର ଲବଣ ସତ୍ୟାଗ୍ରହରେ ସେ ମହାତ୍ମା ଗାନ୍ଧିଙ୍କ ସହିତ ପ୍ରମୁଖ ଭୂମିକା ଗ୍ରହଣ କରି କାରାବରଣ କରିଥିଲେ । ।

୧୯୩୧ ମସିହାରେ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୮ ମସିହାରେ ପଟେଲ କଂଗ୍ରେସ ସଂଗଠନକୁ ତୃଣମୃଳ ସ୍ତରରୁ ସଶକ୍ତ କରିଥିଲେ । ମହାତ୍ମାଗାନ୍ଧୀ କଂଗ୍ରେସର ନେତୃତ୍ୱ ନେଉଥିବା ବେଳେ ପ୍ରକୃତରେ କଂଗ୍ରେସ ସଂଗଠନର ପ୍ରମୁଖ ସ୍ତମ୍ଭ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ୧୯୩୪ ମସିହାରେ କଂଗ୍ରେସ ନିର୍ବାଚନ ପ୍ରଚାରରେ ସେ ମୁଖ୍ୟ ପରିଚାଳନା ଦାୟିତ୍ୱରେ ରହିଥିଲେ । ୧୯୪୨ ମସିହାରେ ମହାତ୍ମାଗାନ୍ଧି ଯେତେବେଳେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କଲେ ସେତେବେଳେ ନେହେରୁ , ଚକ୍ରବର୍ତୀ ରାଜଗୋପାଳଚାରୀ ଓ ମୌଲାନା ଆଜାଦ୍ ତାଙ୍କର ବିରୋଧ କରିଥିବା ବେଳେ ସର୍ଦ୍ଦାର ପଟେଲ ଗାନ୍ଧୀଙ୍କ ଦୃଢ ସମର୍ଥନ କରିଥିଲେ । ପଟେଲ ଖୁବ୍ ଶୀଘ୍ର ଆନ୍ଦୋଳନ କରିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ନେହେରୁ ଏହାକୁ ବିଳମ୍ବିତ କରିବାକୁ ଚାହୁଁଥିଲେ । ଶେଷରେ ଗାନ୍ଧୀ ଓ ପଟେଲଙ୍କ ପ୍ରଭାବରୁ ୧୯୪୨ ଅଗଷ୍ଟ ୭ରେ ଅଖିଳ ଭାରତ କଂଗ୍ରେସ କମିଟି ଏହି ପ୍ରସ୍ତାବକୁ ଗ୍ରହଣ କଲା । ସେହି ଦିନ ବମ୍ବେରେ ଏକ ଲକ୍ଷ ଲୋକଙ୍କ ସମାବେଶରେ ପଟେଲ ଯେଉଁ ଉଦ୍ବୋଧନ ଦେଇଥିଲେ, ଐତିହାସିକମାନେ ଇଂରେଜମାନଙ୍କ ବିରୁଦ୍ଧରେ ଭାରତୀୟମାନଙ୍କୁ ଉଦ୍ବୁଦ୍ଧ କଲାଭଳି ଏହା ଏକ ସର୍ବଶ୍ରେଷ୍ଠ ଐତିହାସିକ ଭାଷଣ ଥିଲା ବୋଲି ଅଭିହିତ କରିଥାନ୍ତି । ୧୯୪୬ରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହେଲା । ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଥିଲା, କାରଣ ଯିଏ କଂଗ୍ରେସର ସଭାପତି ହେବେ ସ୍ୱାଧୀନତା ପ୍ରାପ୍ତିପରେ ସେହି ହିଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହେବେ । ଭାରତର ୧୬ଟି ପ୍ରଦେଶରୁ ୧୩ଟି ପ୍ରଦେଶ ଖୋଲାଖୋଲି ଭାବେ ପଟେଲଙ୍କୁ ସମର୍ଥନ ଜଣାଉ ଥିବାବେଳେ ମାତ୍ର ୩ଟି ରାଜ୍ୟ ନେହେରୁଙ୍କ ସପକ୍ଷରେ ଥିଲେ । କିନ୍ତୁ ଗାନ୍ଧୀ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁ ଥିବାରୁ ନିର୍ବାଚନର ଅଳ୍ପ କେତେଦିନ ପୂର୍ବରୁ ନିର୍ବାଚନରୁ ଓହରି ଯିବା ପାଇଁ ପଟେଲଙ୍କୁ ଅନୁରୋଧ କରିଥିଲେ । ଗୋଟିଏ ହେଲେ ପ୍ରତିବାଦର ଶବ୍ଦ ଉଚ୍ଚାରଣ ନକରି ପଟେଲ ନିର୍ବାଚନରୁ ଓହରି ଯାଇଥିଲେ ।
ଦେଶ ବିଭାଜନ ବେଳେ ସମସ୍ତ ପ୍ରତିଷେଧ ମୂଳକ ବ୍ୟବସ୍ଥା ସତ୍ୱେ ପ୍ରାୟ ୧୦ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ । ଦେଢ କୋଟି ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା । ବିଭାଜନ ପ୍ରସ୍ତୁତିକୁ ନେଇ ଏହି ହାଣ କାଟ ଚାଲିଥିବା ବେଳେ ଏବଂ ମହାତ୍ମା ଗାନ୍ଧୀ କଲିକତାରେ ଆମରଣ ଅନଶନରେ ବସିଥିବା ବେଳେ ନେହେରୁ ତରବରିଆ ଭାବେ ଇଂରେଜ ମାନଙ୍କ ସହିତ ଭାରତର ସ୍ୱାଧୀନତା ଚୁକ୍ତିରେ ସ୍ୱାକ୍ଷର କରିଥିଲେ ଏବଂ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ମଧ୍ୟ ରାତ୍ରି ପରେ ଭାରତ ସ୍ୱାଧୀନତା ପାଇଥିଲା ଏବଂ ନେହେରୁଙ୍କୁ କ୍ଷମତା ହସ୍ତାନ୍ତର କରାଯାଇଥିଲା । ୧୯୪୯ ମସିହା ସୁଦ୍ଧା ୮ ଲକ୍ଷରୁ ଉଦ୍ଧ୍ୱର୍ ହିନ୍ଦୁ ଶରଣାର୍ଥୀ ଭାରତରେ ଆଶ୍ରୟ ନେଇସାରି ଥିଲେ । ପାକିସ୍ତାନ ପ୍ରଶାସନ ତାଙ୍କ ଦେଶରୁ ହିନ୍ଦୁମାନଙ୍କୁ ଶକ୍ତି ପ୍ରୟୋଗକରି ଭାରତକୁ ପଠାଉ ଥିବାବେଳେ ନେହେରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀଙ୍କ ସହିତ ପାରସ୍ପରିକ ସହଯୋଗ ଏବଂ ଭାରତରେ ମୁସଲମାନଙ୍କ ସୁରକ୍ଷା ଦେବା ପାଇଁ ଦିଲ୍ଲୀ ରାଜିନାମା କରିଥିବା ବେଳେ ପାକିସ୍ତାନର ଏହି ବର୍ବରୋଚିତ ହିନ୍ଦୁ ବିରୋଧୀ ମନୋଭାବ ସଂପର୍କରେ ନୀରବ ରହିଥିଲେ । ସେତେବେଳେ ପଟେଲ ଏହାର ତୀବ୍ର ବିରୋଧ କରିଥିବା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳର ଅନ୍ୟତମ ସଦସ୍ୟ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ କେ. ସି ନିୟୋଗୀଙ୍କ ଭଳି କ୍ୟାବିନେଟ ମନ୍ତ୍ରୀମାନେ ଇସ୍ତଫା ଦେଇଥିଲେ ।

ଭାରତ ସ୍ୱାଧୀନତା ପାଇବା ସମୟରେ ଭାରତରେ ମାତ୍ର ୧୨ ପ୍ରଦେଶ ଏବଂ ୫୬୫ଟି ସ୍ୱଂୟଶାସିତ ପ୍ରିନ୍ସଲୀ ଷ୍ଟ୍ରେଟ୍ ବା ରାଜା / ମହାରାଜା / ନବାବ / ସୁଲତାନ ପ୍ରଭୃତିଙ୍କ ଦ୍ୱାରା ଶାସିତ ରାଜ୍ୟ ଥିଲା । ତେଣୁ ୧୯୪୬ ମସିହା ମେ ୧୬ ତାରିଖରେ କ୍ୟାବିନେଟ୍ ମିଶନ ଏହି ରାଜ୍ୟ ଗୁଡିକର ମିଶ୍ରଣ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ ଏବଂ ମହାତ୍ମାଗାନ୍ଧୀଙ୍କ ମତରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ବଲ୍ଲଭ ଭାଇ ପଟେଲ ହିଁ ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ ଥିଲେ । ଶ୍ରୀ ପଟେଲ ତାଙ୍କର ବିଶ୍ୱସ୍ତ ସ୍ୱରାଷ୍ଟ୍ର ସଚିବ ତଥା ଏହି ମିଶ୍ରଣ ପାଇଁ ଗଠିତ ସ୍ୱତନ୍ତ୍ର ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ଭି.ପି ମେନନଙ୍କ ସହଯୋଗରେ ଏହି ଦୁରୁହ କାର୍ଯ୍ୟର ନେତୃତ୍ୱ ନେଇ ସଫଳତା ଲାଭ କରିଥିଲେ । ଏଥିପାଇଁ ଦୁଇ ପ୍ରକାର ରାଜିନାମାର ବ୍ୟବସ୍ଥା କରାଯାଇଥିଲା । ଗୋଟିଏ ହେଲା ‘ଷ୍ଟାଣ୍ଡ ଷ୍ଟିଲ ଏଗ୍ରିମେଂଟ’ ଅନ୍ୟଟି ‘ଇନ୍ଷ୍ଟ୍ରୁମେଂଟ ଅଫ୍ ଆକ୍ଶେସନ’ । ପ୍ରଥମ ରାଜିନାମାରେ ଇଂଗ୍ରେଜ ଅମଳରେ ଦେଶୀୟ ରାଜ୍ୟମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଅପରିବର୍ତିତ ରଖିବା ପାଇଁ ପ୍ରତିଶ୍ରୃତି ଦିଆଯାଇଥିଲା ବେଳେ ମିଶ୍ରଣ ପ୍ରକ୍ରିୟାରେ ସମ୍ମତି ଜଣାଇ ଦେଶୀୟ ରାଜ୍ୟ ଗୁଡିକ ଇନଷ୍ଟ୍ରୁମେଂଟ ଅଫ୍ ଆକ୍ଶେସନରେ ଦସ୍ତଖତ କରିବାର ବ୍ୟବସ୍ଥା କରାଯାଇଥିଲା । ଏହି କ୍ରମରେ ୧୯୪୭ ନଭେମ୍ବର ୧୪ ତାରିଖରେ ଭାରତୀୟ ରାଷ୍ଟ୍ରସଂଘ ସହିତ ଓଡିଶାର ନିଳଗିରି ଗଡଜାତ ରାଜ୍ୟର ପ୍ରଥମ ମିଶ୍ରଣ ଘଟିଥିଲା ଓ ପରେ ପରେ ସମସ୍ତ ଗଡଜାତ ରାଜ୍ୟ ଭାରତ ବର୍ଷର ଅଂଶ ହୋଇଥିଲେ ।

ପଟେଲଙ୍କ ଅଧ୍ୟକ୍ଷତାରେ ଭାରତ ମିଶ୍ରଣରେ ହାଇଦ୍ରାବାଦ, ଜୁନାଗଡ ଓ ଜାମ୍ମୁ-କାଶ୍ମୀର ଭଳି ରାଜ୍ୟମାନଙ୍କର ଏକତ୍ରୀକରଣକୁ ନେହେରୁ ଓ ତଥା କଥିତ ଧର୍ମନିରପେକ୍ଷ ଗୋଷ୍ଟୀ ଗ୍ରହଣ କରି ପାରୁନଥିଲେ । ସେଥିପାଇଁ ଜାମ୍ମୁ-କାଶ୍ମୀରର ମହାରାଜ ହରି ସିଂ ଇନଷ୍ଟ୍ରୁମେଂଟଣ୍ଟ ଅଫ୍ ଆକ୍ସେସନ୍ରେ ଭାରତତୀୟ ରାଜ୍ୟ ସଂଘରେ ତାଙ୍କ ରାଜ୍ୟର ମିଶ୍ରଣ ପାଇଁ ସ୍ୱୀକୃତି ଦେବା ପରେ ମଧ୍ୟ ଅନାବଶ୍ୟକ ଭାବେ ନେହେରୁ ଡଃ. ଆମ୍ବେଦକରଙ୍କ ବିରୋଧ ସତ୍ୱେ ସଂବିଧାନ ଚିଠା ପ୍ରଣୟନ କମିଟିର ଅନ୍ୟତମ ସଦସ୍ୟ ଗୋପାଳ ଆୟାଙ୍ଗାରଙ୍କ ସହାୟତାରେ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର କ୍ଷମତା ଦେଇଥିଲେ । ୧୯୪୮ ଜାନୁଆରୀ ୩୦ରେ ମହାତ୍ମା ଗାନ୍ଧୀଙ୍କ ମୁତ୍ୟୁର ଅବ୍ୟବହିତ ପୂର୍ବରୁ ଶେଷ ବ୍ୟକ୍ତି ଭାବେ ପଟେଲ ହିଁ ତାଙ୍କୁ ସାକ୍ଷାତ କରିଥିଲେ । ଗାନ୍ଧିଙ୍କର ଏହି ଆକସ୍ମିକ ବିୟୋଗ ପଟେଲଙ୍କୁ ମ୍ରିୟମାଣ କରିଥିଲା ଏବଂ ସେ ହୃଦ୍ରୋଗରେ ପୀଡିତ ହୋଇଥିଲେ । ୧୯୫୦ ମସିହା ଡିସେମ୍ବର ୧୫ରେ ଏହି ମହାନ ରାଷ୍ଟ୍ରନାୟକଙ୍କର ବିୟୋଗ ଘଟିଲା । ରାଷ୍ଟ୍ରବାଦୀ ନେତା ଭାବେ ତାଙ୍କର ମହନୀୟତା ପାଇଁ ୧୯୪୭ ଜାନୁୟାରୀରେ ଇଂଲଣ୍ଡର ଟାଇମ୍ ମାଗାଜିନ ଅଜସ୍ର ପ୍ରଶଂସା କରିବା ସହିତ ପ୍ରଛଦପଟରେ ପଟେଲଙ୍କର ଛବି ପ୍ରକାଶିତ କରିଥିଲେ । ତାଙ୍କର ଦୃଢ ନିଷ୍ପତି ଏବଂ କୋ÷ଣସି କଥାକୁ ଡରିନଯାଇ ତା’ର ସାର୍ଥକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କୁ ‘ଲୋ÷ହମାନବ’ ବୋଲି କୁହାଯାଏ । ଐତିହାସିକ ମାନେ ଦେଶ ମିଶ୍ରଣରେ ତାଙ୍କର ବଳିଷ୍ଠ ଭୂମିକା ଯୋଗୁଁ ତାଙ୍କୁ ‘ଭାରତର ବିସ୍ମାର୍କ’ ବୋଲି କହିଥାନ୍ତି । ଦୁଃଖ ଓ ପରିତାପର ବିଷୟ ଯେ ସ୍ୱାଧୀନ ଭାରତରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଯଥା ଯୋଗ୍ୟ ସମ୍ମାନ ମିଳିନାହିଁ । ନେହୁରୁ ଏବଂ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନାମରେ ହଜାରରୁ ଉଦ୍ଧ୍ୱର୍ ଜାତୀୟ ପ୍ରତିଷ୍ଠାନ ଓ ଜାତୀୟ ସ୍ତରରେ ଗୁରୁତ୍ୱ ପାଇଥିବା ଅନୁଷ୍ଠାନ ନାମିତ କରାଯାଇଥିବା ବେଳେ ପଟେଲଙ୍କ ନାମରେ ତଦନୁରୂପ ପ୍ରଦକ୍ଷେପ ଗ୍ରହଣ କରାଯାଇନାହିଁ । ଏପରି କି ନିଜ ଜୀବନ କାଳ ଭିତରେ ନେହେରୁ ଓ ଇନ୍ଦିରାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ପଟେଲଙ୍କୁ ରାଜୀବ ଗାନ୍ଧୀ ସହିତ ୧୯୯୧ରେ ମୃତ୍ୟୁର ୪୧ବର୍ଷ ପରେ ମରଣୋତରଭାବେ ଭାରତ ରତ୍ନ ଦିଆଯାଇଥିଲା ।

ଶ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀଥିବା ବେଳେ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ପୃଥିବୀର ସବୁଠାରୁ ଉଚ୍ଚତମ ସ୍ମାରକୀ ନିର୍ମାଣ କରିବାର ଯୋଜନା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୪-୨୦୧୫ ଆର୍ଥିକ ବର୍ଷରେ ଏଥିପାଇଁ ପ୍ରାରମ୍ଭିକଭାବେ ୨୦୦ କୋଟି ଟଙ୍କା ମଞ୍ଜୁର କରିବା ସହିତ ତାଙ୍କର ଏହି ଡ୍ରିମ୍ ପ୍ରୋଜେକଟ୍, ନମ୍ରଦା ଡ୍ୟାମ୍ର ସର୍ଦ୍ଦାର ସୋରବର ଭିତରେ ଡ୍ୟାମ ଠାରୁ ୩.୨କିଲୋମିଟର ଦୂରରେ ଏକ ପ୍ରାକୃତିକ କ୍ଷୁତ୍ର ଦ୍ୱୀପ ଉପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମା ପ୍ରତିଷ୍ଠା କାମ ଆରମ୍ଭ କରିଥିଲେ । ଏହି ପ୍ରତିମାକୁ ଷ୍ଟାଚ୍ୟୁ.ଅଫ୍.ୟୁନୁଟି କୁହାଯାଉଥିବା ବେଳେ ତାଙ୍କ ଜନ୍ମ ଦିବସ ଅକ୍ଟୋବର ୩୧କୁ ନ୍ୟାସ୍ନାଲ ୟୁନୁଟି ଡେ ବା ଜାତୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ତାଙ୍କ ସମ୍ମାନାର୍ଥେ ରନ୍.ଫର୍.ୟୁନୁଟି ବା ଏକତା ପାଇଁ ଗଣ ଦୈାଡ କାର୍ଯ୍ୟକ୍ରମ କରାହୋଇଆସୁଛି ।

ପଟେଲଙ୍କର ଏହି ପ୍ରତିମୂର୍ତି ପୃଥିବୀର ସର୍ବୋଚ୍ଚ ପ୍ରତିମା ହେବ ଏହି ପ୍ରତିମୂର୍ତିର ଉଚ୍ଚତା ୧୮୨ ମିଟର ଏବଂ ଏହା ୫୮ ମିଟର ଉଚ୍ଚର ଭିତିସ୍ତମ୍ଭ ଉପରେ ପ୍ରତିଷ୍ଠିତ । ତେଣୁ ଭୂମି ଠାରୁ ଉଚ୍ଚତା ୨୪୦ ମିଟର ବା ୭୯୦ ଫୁଟ । ଆଗରୁ ପ୍ରଥମ ସ୍ଥାନରେ ଥିବା ଚୀନର ଗୈାତମ ବୁଦ୍ଧଙ୍କର ପ୍ରତିକୃତିର ଉଚ୍ଚତା ହେଉଛି ୧୨୮ ମିଟର ଏବଂ ଏହା ୫୩ ମିଟର ଉଚ୍ଚତା ବିଶିଷ୍ଟ ଭିତିସ୍ତମ୍ଭ ଉପରେ ପ୍ରତିଷ୍ଠିତ ଏବଂ ଭୂତଳରୁ ଏହା ସମୁଦାୟ ଉଚ୍ଚତା ୧୫୩ ମିଟର ବା ୫୦୨ ଫୁଟ ଉଚ୍ଚ । ସେହିଭଳି ଉଚ୍ଚତା ଦୃଷ୍ଟିରୁ ଆଗରୁ ଷଷ୍ଠ ସ୍ଥାନରେ ଥିବା ଆମେରିକାର ଷ୍ଟାଚ୍ୟୁ.ଅଫ୍.ଲିବର୍ଟିର ଉଚ୍ଚତା ୪୬ ମିଟର ଏବଂ ଏହାର ଭିତିରସ୍ତମ୍ଭ ଉଚ୍ଚତା ୪୭ ମିଟର ଏବଂ ସମୁଦାୟ ଉଚ୍ଚତା ୯୩ ମିଟର ବା ୩୦୫ ଫୁଟ ମାତ୍ର । ଏହି ଷ୍ଟାଚ୍ୟୁ ନିର୍ମାଣ ପାଇଁ ୧୩୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆନୁସଙ୍ଗିକ ଭିତିଭୂମି, ଦ୍ୱୀପକୁ ସଂଯୋଗ କରୁଥିବା ସେତୁ ଏବଂ ସଂଗ୍ରହାଳୟ ନିର୍ମାଣ ପ୍ରଭୁତି ମିଶି ମୋଟ ୨୯୮୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ୫୭୦୦ ମେଟ୍ରିକ୍ ଟନ୍ ଓଜନ ତଥା ୭୫୦୦୦ ଘନ ମିଟର ଲୁହା ବ୍ୟବହାର କରାଯାଇଛି । ଏଥିପାଇଁ ସାରା ଭାରତ ବର୍ଷର ୬ ଲକ୍ଷ ଗାଁରୁ ୫୦୦୦ ଟନ୍ ଲୁହା ସଂଗ୍ରହ କରାଯାଇଛି । ଭିତିସ୍ତମ୍ଭ ନିର୍ମାଣରେ ୯୦୦୦୦ ହଜାର ଟନ୍ ସିମେଂଟ ବ୍ୟବହାର କରାଯାଇଛି । ଏହା ଭାରତ ତଥା ପୃଥିବୀର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ରଭାବେ ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହେବ ବୋଲି ବିଶ୍ୱାସ କରାଯାଉଛି । ଏହି ଷ୍ଟାଚ୍ୟୁ.ଅଫ୍.ୟୁନୁଟି ଯଥାର୍ଥରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରେଷ୍ଠତମ ଶ୍ରର୍ଦ୍ଧାଞ୍ଜଳି ଭାବେ ଗ୍ରହଣ କରାଯାଉଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top