State

ରାଜ୍ୟର ବରପୁତ୍ରମାନଙ୍କୁ ରାଜ୍ୟ ସରକାର ଅପମାନିତ କରୁଛନ୍ତି, ଏହା ବିରୁଦ୍ଧରେ ଜନଆନ୍ଦୋଳନ କରାଯିବ: ନିରଞ୍ଜନ ପଟ୍ଟନାୟକ

ବୁଧବାର କଂଗ୍ରେସ ବାର୍ତା ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ‘କଂଗ୍ରେସ ବାର୍ତା’ର ସ୍ୱତନ୍ତ୍ର ସଂଖ୍ୟା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ ସଭାପତି ତଥା କଂଗ୍ରେସ ବାର୍ତା ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । କଂଗ୍ରେସ ବାର୍ତାର ସଂପାଦକ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ପୂର୍ବ ଦିନମାନଙ୍କରେ କଂଗ୍ରେସ ବାର୍ତା ଓଡିଶାର ଅଗଣିତ କଂଗ୍ରେସ କର୍ମୀ, ପ୍ରେମୀ, ଶୁଭେଚ୍ଛୁଙ୍କ ମତକୁ ଯେଭଳି ଭାବରେ ଉପସ୍ଥାପନ କରୁଥିଲା ଆଗାମୀ ଦିନରେ ତାହାହିଁ କରିବ । ଉପସ୍ଥିତ କଂଗ୍ରେସ କର୍ମକର୍ତାମାନଙ୍କୁ ପପେଟ୍ ମହମ୍ମଦଙ୍କ ଜନ୍ମଦିନ ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଏବଂ ଭୁବନେଶ୍ୱରରେ ରାଜଧାନୀର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ରାଜ୍ୟର ବରପୁତ୍ରମାନଙ୍କୁ ଯେଭଳି ଭାବରେ ବିଗତ ୧୮ ବର୍ଷ ଧରି ଅପମାନିତ କରୁଛନ୍ତି, ତା’ର ଜବାବ ଆଗାମୀ ଦିନରେ କଂଗ୍ରେସ ଦଳର କର୍ମୀମାନେ ଦେବେ ବୋଲି ସେ ଆହ୍ୱାନ ଦେଇଥିଲେ ।

ଉଦାହରଣ ଦେଇ ସେ କହିଲେ ଯେ ଡ. ହରେକୃଷ୍ଣ ମହତାବଙ୍କର ଏକ ପ୍ରତିମୂର୍ତି ତାଙ୍କ ଜନ୍ମଭୂମି ଓ କର୍ମଭୂମି ଭଦ୍ରକ ଜିଲ୍ଲାର ଅଗରପଡା ଠାରେ ସ୍ଥାପନ କରିବା ପାଇଁ ସେଠାକାର ବୁଦ୍ଧିଜୀବୀ ଓ ଅଂଚଳବାସୀ ବହୁ ଦିନରୁ ଦାବି କରିବା ସହ ପ୍ରୟାସ କରି ଆସୁଛନ୍ତି । ଏପରିକି ସରକାର ପ୍ରତିମୂର୍ତି ସ୍ଥାପନା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରିବା ସହ ଜମି ପ୍ରଦାନ ମଧ୍ୟ କରିଥିଲେ । ପରବର୍ତୀ ସମୟରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ଥାନୀୟ ଶାସକ ଦଳ ନେତୃତ୍ୱ ଓ ଜିଲ୍ଲା ପ୍ରସାଶନ ସେହି ସ୍ଥାନଟିକୁ ଖାରଜ କରିବା ସହ ପ୍ରତିମୂର୍ତି ସଂପୃକ୍ତ ସ୍ଥାନରେ ସ୍ଥାପନ କରିବା ପାଇଁ ଅନୁମତିକୁ ପ୍ରତ୍ୟାହାର କରି ନେଇଛନ୍ତି । ପ୍ରଶାସନ ଡ. ମହତାବଙ୍କର ସ୍ମୃତି ସଂରକ୍ଷଣ କରିବା ପରିବର୍ତେ ଏହି ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି କହିଲେ ଯେ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଦାବି କରାଯାଉଛି କି ଯଥାଶୀଘ୍ର ଡ. ମହତାବଙ୍କ ମୂର୍ତି ସ୍ଥାପନ ପାଇଁ ନିରୂପିତ ଜମି ପ୍ରଦାନ କରିବାକୁ, ଯଦି ଆଗାମୀ ନଭେମ୍ବର ୨୭ ତାରିଖ ସୁଦ୍ଧା ସ୍ଥାନୀୟ ପ୍ରଶାସନ ପ୍ରତିମୂର୍ତି ପାଇଁ ଜମି ପ୍ରଦାନ ନକରେ ତେବେ ପ୍ରଦେଶ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବାର୍ତା ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ଅନନ୍ତ ପ୍ରସାଦ ସେଠୀ ସ୍ୱାଗତ ଭାଷଣ ଓ ସଂପାଦନା ମଣ୍ଡଳୀ ସଦସ୍ୟ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ଉପସଭାପତି ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, କଟକ ଜିଲ୍ଲା କଂଗ୍ରେସ ସଭାପତି ଗୁରୁପଦ ନନ୍ଦ, ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ, ଲିଗାଲ ସେଲ୍ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର, ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, କଂଗ୍ରେସ ବାର୍ତା ଟ୍ରଷ୍ଟର ଟ୍ରଷ୍ଟି ରସିକଚାନ୍ଦ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ସରୋଜ ପଟ୍ଟନାୟକ, ଆଲୋକ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ସୁବ୍ରତ ମହାପାତ୍ର, ସ୍ମୃତିପ୍ରକାଶ ନନ୍ଦ, ଦେଓ ପ୍ରସାଦ, ସ୍ୱାଧିନବାଳା ଦାସ, ଜ୍ୟୋତିଷ କୁମାର ସାହୁ, ବିନୋଦିନୀ ମହାନ୍ତି, ସୁଜାତା ଜେନା ଓ ସୁର୍ଯ୍ୟକାନ୍ତି ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top