State

ମେକ୍ ଇନ୍ ଓଡିଶା କନକ୍ଲେଭରେ ବିଜ୍ଞାପନ ମାଧ୍ୟମରେ ରାଜ୍ୟସରକାର ଜଗନ୍ନାଥଙ୍କୁ ଅସମ୍ମାନିତ କରିଛନ୍ତି: ବିଶ୍ୱଭୂଷଣ ହରିଚନ୍ଦନ

ଓଡିଶା ମାଟିରେ ‘ଜଗରନଉଟ’ ଶଦ୍ଦ ବ୍ୟବହାର କରି ଓଡିଆ ଜାତିର ଭାବାବେଗକୁ ରାଜ୍ୟସରକାର ଆଘାତ ଦେଇଛନ୍ତି ବୋଲି ରାଜ୍ୟ ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ରାଜ୍ୟ ସରକାରଙ୍କ ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୧୮ ରେ ଏକ ବିଜ୍ଞାପନ ମାଧ୍ୟମରେ ଓଡିଆ ଜାତିର ଆରାଧ୍ୟ ଦେବତା ପ୍ରଭୃ ଜଗନ୍ନାଥଙ୍କୁ ଅସମ୍ମାନିତ କରିଛନ୍ତି । ଗତ ନଭେମ୍ବର ୧୨ ତାରିଖ ଦିନ ରାଜ୍ୟର ପ୍ରମୁଖ ଖବରକାଗଜ
ପ୍ରଥମପୃଷ୍ଠାରେ ଏକ ବଡ ହୋଡିଂରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ‘କମ୍, ଜଏନ୍ ଦ ଜଗରନଉଟ’ ହେଡିଂ ସହ ପ୍ରକାଶିତ ହୋଇଥିଲା । ଏହାର ଅର୍ଥ କଣ ଏବଂ ଏହି ଶଦ୍ଦକୁ କାହିଁକି ବ୍ୟବହାର କରାଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

‘ଜଗରନଉଟ’ ଶଦ୍ଦ ଓଡିଶାରେ କେହି ବ୍ୟବହାର କରନ୍ତି ନାହିଁ । ଜଗନ୍ନାଥଙ୍କୁ ଏପରି ବିକୃତ ଭାବେ ଦର୍ଶାଇବା ଅତ୍ୟନ୍ତ ହୀନ ଏବଂ ଓଡିଆ ସଂସ୍କୃତି ବିରୋଧୀ ମାନସିକତା । ରାଜ୍ୟକୁ ହାଇଫାଇରେ ବିଶ୍ୱାସ କରୁଥିବା ଆମ ମୁଖ୍ୟମନ୍ତ୍ରୀ ମହୋଦୟ ପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଆଉ କଣ କହି ଦେଶ ବିଦେଶରୁ ଆସିଥିବା ଶିଳ୍ପ ଜଗତର ମହାହସ୍ତୀମାନଙ୍କୁ ସ୍ୱାଗତ କରିଥାନ୍ତେ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରି କରିଛନ୍ତି ।

ଗକତାଲି ଜଗନ୍ନାଥଙ୍କ ଦାରୁ ଚୟନ ବିବାଦରେ ପୁରୀ ଗଜପତି ମହାରାଜ ତାଙ୍କ ମନ୍ତବ୍ୟ ରଖିବା ସମୟରେ ‘ଜଗରନଉଟ’ ଶଦ୍ଦର ବ୍ୟବହାରକୁ ନାପସନ୍ଦ କରିଥିଲେ । ଜଗନ୍ନାଥ ସଂସ୍ୃତି ବିଷୟରେ ଅଜ୍ଞ ଏବଂ ମହାନ ସଂସ୍କୃତିର ବିରୋଧୀ କେତେକ ବିଦେଶୀ ବ୍ୟକ୍ତି ଜଗନ୍ନାଥଙ୍କୁ ଏଭଳି ବିକୃତ କରି ‘ଜଗରନଉଟ’ କହୁଛନ୍ତି । କେତେକ ଅସହିଷ୍ଣୁ ବ୍ୟକ୍ତି ଜଗନ୍ନାଥଙ୍କୁ ବ୍ୟଙ୍ଗ କରି ଏଭଳି ଶଦ୍ଦ ପ୍ରୟୋଗ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ରାଜ୍ୟସରକାର ଓ ଶିଳ୍ପମହାକୁମ୍ଭର ମହାନାୟକ ମୁଖ୍ୟମନ୍ତ୍ରୀ ପ୍ରଭୃ ଜଗନ୍ନାଥ ଏବଂ ଓଡିଆ ଜାତିକୁ ଅପମାନିତ କରିଥିବାରୁ ନିଜ ଦୋଷକୁ ସ୍ୱୀକାର କରି ସର୍ବସାଧାରଣରେ ଓଡିଆ ଜାତି ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

(Photo: File)

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top