State

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୋ ବସ୍ କାର୍ଯ୍ୟକ୍ରମ ଶୁଭାରମ୍ଭ, ବସରେ ବସି ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, କଟକ ଓ ପୁରୀ ଜନସାଧାରଣଙ୍କ ପାଇଁ ମୋ ବସ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ମୁଖ୍ୟମନ୍ତ୍ରୀ ଏହି ବସ ସେବା କାଯ୍ୟକ୍ରମ ଆରମ୍ଭ କରି ସାଧାରଣ ଯାତ୍ରୀଙ୍କ ସହିତ ବସରେ ବସି ବିଧାନ ସଭା ଆସିଥିଲେ । ୮ ଟଙ୍କା ମୂଲ୍ୟର ଟିକେଟ ପାଇଁ ମୁଖ୍ୟମନ୍ତ୍ରୀ ବସର ଟିକେଟ ବାବଦରେ ବସ ଗାଇଡଙ୍କୁ ୧୦ ଟଙ୍କା ଦେଇଥିଲେ ଏବଂ ଗାଇଡ ତାଙ୍କୁ ୨ ଟଙ୍କା ଫେରସ୍ତ କରିଥିଲେ ।

ରାସ୍ତାରେ ସେ ଯାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ସେଲଫି ଉଠାଇଥିଲେ । ସୂଚନାଯୋଗ୍ୟ ଯେ ମୁଖମନ୍ତ୍ରୀଙ୍କ ଯାତ୍ରା ସମୟରେ କୌଣସି ସୁରକ୍ଷାକର୍ମଚାରୀ ବସରେ ଉପସ୍ଥିତ ନଥିଲେ । ବିଧାନସଭାରେ ପହଁଚି ଗଣମାଧ୍ୟମକୁ ଏହି ବସସେବା ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ବସ କାର୍ଯ୍ୟକ୍ରମରେ କଟକ, ଭୁବନେଶ୍ୱର ଓ ପୁରୀରେ ୩୦୦ ଟି ବସ ଚାଲିବ । ଆଜି ୧୦୦ରୁ ଉର୍ଦ୍ଧ ବସ ସେବା ଆରମ୍ଭ ହୋଇଛି । ଏହି ବସରେ ଯୁବବର୍ଗକୁ ଆକୃଷ୍ଟ କରିବା ପାଇଁ ୱାଇଫାଇ ବ୍ୟବସ୍ଥା ଓ ମହିଳା ଯାତ୍ରୀଙ୍କ ପାଇଁ ସିସି ଟିଭି କ୍ୟାମେରା ମଧ୍ୟ ସଂଯୋଗ କରାଯାଇଛି । ଯାତ୍ରିଙ୍କ ସୁବିଧା ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା ଓ ବିଭିନ୍ନ ଜରୁରୀ ସୂଚନା ପାଇଁ ମୋବାଇଲ ଆପର ମଧ୍ୟ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ବସ ଗୁଡିକରେ କଂଡକ୍ଟର ମାନଙ୍କୁ ବସ ଗାଇଡ ବୋଲି କୁହାଯିବ ଏବଂ ବସ ଗାଇଡରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଦିଆଯିବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top