State

ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବି କରି ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମାଠାରେ ଦୁଇ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କଲା ମହିଳାମୋର୍ଚ୍ଚା

 ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ ରାଜ୍ୟ ସରକାର ପ୍ରୋତ୍ସାହନରେ ଚାଲିଛି । ଏହାକୁ ବିରୋଧ କରି ତୁରନ୍ତ ସେଲଟର ହୋମଗୁଡିକୁ ବନ୍ଦ କରିବା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବି କରି ରାଜ୍ୟର ସମସ୍ତ ସଦର ମହକୁମାଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ସଭା ଏବଂ କୁଶପୁତଳିକା ଦାହ କରାଯାଇଛି ବୋଲି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏପରି ସେଲଟର ହୋମ ରାଜ୍ୟର ୨୬ଟି ସ୍ଥାନରେ ବେଆଇନ ଭାବେ ଚାଲୁଥିଲା । ସେଥିରେ ୧୫ଟିକୁ ଖୋଦ୍ ରାଜ୍ୟସରକାରଙ୍କ ଅନୁମତି ମିଳିଥିଲା । ରାଜ୍ୟସରକାରଙ୍କ ସୁରକ୍ଷା ବଳୟ ଭିତରେ ଏପରି ଘୃଣ୍ୟ କାମ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ ଏଭଳି ଏକ ସ୍ପର୍ଶକାତର ଘଟଣାରେ ନୀରବ ରହିବା ମା ଭଉଣୀମାନଙ୍କୁ କଷ୍ଟ ଦେଉଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଶ୍ରୀମତୀ ପରିଡା କହିଛନ୍ତି ଯେ, ମହିଳାମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟସରକାର ଆଦୌ ଚିନ୍ତିତ ନୁହଁନ୍ତି । ଏପରିକି ମହିଳାମାନଙ୍କ ସହ ର୍ଦୁବ୍ୟବହାର କରୁଥିବା ଅପରାଧୀମାନଙ୍କୁ ଶାସକ ଦଳର ନେତା ମାନେ ସୁରକ୍ଷା ଯୋଗାଇ ଆସୁଛନ୍ତି । ମହିଳା ବିରୋଧୀ ହିଂସାରେ ଓଡିଶା ରେକର୍ଡ କରିଛି । ରାଜ୍ୟସରକାରଙ୍କ ଅପାରଗତା କାରଣରୁ ଦିନକୁ ଦିନ ମହିଳାମାନେ ରାଜ୍ୟରେ ଅସୁରକ୍ଷିତ ହୋଇ ପଡିଲେଣି । ରାଜ୍ୟର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତିକୁ ଆଉ ବିଶ୍ୱାସ କରୁନାହାଁନ୍ତି । ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ପୂରା ମହିଳା ଜାତିକୁ ଅପମାନିତ କରିଛି । ଅନ୍ୟପଟେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଛତ୍ରଛାୟା ତଳେ ରହି ଫୟାଜ୍ ରେହମାନ ଓରଫ ଡାଡି ତାର ସାମ୍ରାଜ୍ୟ ବିସ୍ତାର କରଛି । ସେଲଟର ହୋମ ନାଁରେ ଫୟାଜ୍ ରେହମାନ ଶହ ଶହ ସଂଖ୍ୟାରେ ନାବାଳିକାଙ୍କୁ ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ କରି ନିଜର ସଂପତି ବୃଦ୍ଧି କରିବା ଶାସକ ଦଳର ନେତାଙ୍କ ପାଣ୍ଠି ବୃଦ୍ଧି କରିହାରେ ସହାୟକ ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନରେ ହଜାର ହଜାର ସଂଖ୍ୟାରେ ମହିଳା ସ୍ୱେଚ୍ଛାକୃତଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ମହିଳା ବିରୋଧୀ ନୀତିକୁ ବିରୋଧ କରିଥିଲେ । ଭୁବନେଶ୍ୱର, କଟକ, ବାରିପଦା, ଯାଜପୁର, ବରଗଡ, ବାଲେଶ୍ୱର, ରାଉରକେଲା, ସୁନ୍ଦରଗଡ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡା, ଜଗତସିଂହପୁର, ଗଂଜାମ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top