Featured

ବୁଲ୍‌ବୁଲ୍‌ କ୍ଷୟକ୍ଷତି ସମୀକ୍ଷା ସହ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ୟାକେଜ ଘୋଷଣା: ୧୮ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ, ୨୪ ସୁଦ୍ଧା ସହାୟତା ବଣ୍ଟନ ପାଇଁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ବୁଲ୍‌ବୁଲ୍‌ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ନଭେମ୍ବର ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ପ୍ରଦାନ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନଭେମ୍ବର ୨୪ ତାରିଖ ସୁଦ୍ଧା ସହାୟତା ବଣ୍ଟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ସମୟରେ କ୍ଷୟକ୍ଷତିର ଆକଳନ ଓ ସହାୟତା ବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ଏ ସଂକ୍ରାନ୍ତୀୟ ସମସ୍ତ ବିବରଣୀ ଗ୍ରାମପଞ୍ଚାୟତ କାର‌୍ୟ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରିବା ଏବଂ ସହାୟତା ରାଶି କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ୱେବ୍‌ସାଇଟ୍‌ରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବୁଲ୍‌ବୁଲ ବାତ୍ୟାରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର ଏବଂ ମୟୁରଭଂଜ ସମେତ ୬ ଟି ଜିଲ୍ଲାର ସରକାରୀ ଓ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷତି ଘଟିଛି । ଘର, ଫସଲର କ୍ଷତି ହେବା ସହିତ ଲୋକଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ୤
ଆଗାମୀ ଦୁଇଦିନ ମଧ୍ୟରେ ଭିତ୍ତିଭୂମିର ପୁନରୁଦ୍ଧାର ସହିତ ବିଦ୍ୟୁତ ସଂଯୋଗ ନ ଆସିବା ପର‌୍ୟ୍ୟନ୍ତ ଜେନେରେଟର ବ୍ୟବହାର କରି ଜଳଯୋଗାଣ ଚାଲୁ ରଖିବା ଏବଂ ଆବଶ୍ୟକସ୍ଥଳେ ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ ଓଡ୍ରାଫ ଟିମ୍‌ର ଉଦ୍ଧାର ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ କାର‌୍ୟ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତଙ୍କ ପାଇଁ ଏକ ପ୍ୟାକେଜ୍‌ ମଧ୍ୟ ଅନୁମୋଦନ କରିଛନ୍ତି । ଏହି ପ୍ୟାକେଜ୍‌ ଅନୁଯାୟୀ –
(୧) ଅଣ-ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ ବା ତଦୁର୍ଦ୍ଧ ଫସଲ କ୍ଷତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି, ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮,୦୦୦ ଟଙ୍କା ପ୍ରଦାନ କରାଯିବ।
(୨) କୌଣସି କ୍ଷେତ୍ରରେ ସବୁଦିନିଆ ଫସଲ ପାଇଁ ଇନ୍‌ପୁଟ ସବ୍‌ସିଡି ପରିମାଣ ୨୦୦୦ ଟଙ୍କାରୁ କମ୍‌ ଏବଂ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧୦୦୦ ଟଙ୍କା କମ୍‌ ହେବ ନାହିଁ ।
(୩) ରବି ଫସଲ ୨୦୧୯-୨୦ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ ହଜାର ବିହନ ମିନି କିଟ୍‌ ପ୍ରଦାନ କରାଯିବ।
(୪) କ୍ଷତିଗ୍ରସ୍ତ ଜିଲ୍ଲାରେ ୪୫ ହଜାର ଏକର ଜମିରେ ଡେମୋନେଷ୍ଟ୍ରେସନ କାର‌୍ୟ୍ୟକ୍ରମ କରାଯିବ।
(୫) କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ୩୦୦୦ ସ୍ପ୍ରେୟର ପ୍ରଦାନ କରାଯିବ। ବ୍ୟାଟେରୀ ଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ରିହାତି ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ରିହାତି ୭୫୦ ଟଙ୍କା ।
(୬) ରବି ୨୦୧୯-୨୦ ପାଇଁ ୧୦ ହଜାର ପରିବା ମିନି କିଟ୍ ପ୍ରଦାନ କରାଯିବ।
(୭) ପ୍ରତ୍ୟେକ ଚାଷୀଙ୍କୁ ୩୦ ୟୁନିଟ୍‌ ପର‌୍ୟ୍ୟନ୍ତ ପାନବରଜର ପୁନରୁଦ୍ଧାର ପାଇଁ ୧୫ ହଜାର ଟଙ୍କା ଦିଆଯିବ ।
(୮) ୫୦ ୟୁନିଟ୍‌ ପର‌୍ୟ୍ୟନ୍ତ କ୍ଷିତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ।
(୯) ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟ କୃଷିସାମଗ୍ରୀ ଦେବା ପାଇଁ ପଦକ୍ଷେପ ନିଆଯିବ।
(୧୦) ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶୀଘ୍ର ଦେବା ପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ଚୂଡାନ୍ତ କରାଯିବ।
(୧୧) ୩୩ ପ୍ରତିଶତ ବା ତଦୁର୍ଦ୍ଧ କ୍ଷତି ହୋଇଥିବା ଚାଷୀଙ୍କୁ ରବି ୨୦୧୯ ପାଇଁ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।
(୧୨) କ୍ଷୀର ଦେଉଥିବା ଗାଈ, ମଇଁଷି ପାଇଁ ସହାୟତା ପ୍ରତି ପ୍ରାଣୀ ପାଇଁ ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉ ନ ଥିବା ପ୍ରାଣୀ ପାଇଁ ୨୫ ହଜାର ଟଙ୍କା ଲେଖାଏ (୩ଟି ପ୍ରାଣୀ), ବାଛୁରୀ ପାଇଁ ୧୬ ହଜାର (୬ଟା ପ୍ରାଣୀ ପର‌୍ୟ୍ୟନ୍ତ),ଛେଳି-ମେଣ୍ଢା ପାଇଁ ୩୦୦୦ ଟଙ୍କା (୩୦ଟି ପ୍ରାଣୀ ପର‌୍ୟ୍ୟନ୍ତ), କୁକୁଡା ପାଇଁ ମୁଣ୍ଡପିଚ୍ଛା ୫୦ ଟଙ୍କା (ସର୍ବୋଚ୍ଚ ୫ ହଜାର ଟଙ୍କା) ଦିଆଯିବ।
(୧୩) ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪୧୦୦ ଟଙ୍କା, ଆଶିଂକ କ୍ଷତି ହୋଇଥିବା ଜାଲ ପାଇଁ ୨୧୦୦ ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୯୬୦୦ ଟଙ୍କା ଏବଂ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଜାଲ ପାଇଁ ୨୬୦୦ ଟଙ୍କା ସହାୟତା ଦିଆଯିବ।
(୧୪) ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୧୨,୨୦୦ ଟଙ୍କା ଏବଂ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ସହାୟତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏବଂ ବିଭିନ୍ନ ବିଭଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରୁ ଫେରି ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top