Feature

ଡାକ ସପ୍ତାହ ବିଶେଷ: ଆଜିର ଯୁଗରେ ମଧ୍ୟ ହାତରେ ହଜାର ହଜାର ଚିଠି ଲେଖୁଥିବା ଏକ ସଂସ୍ଥାର କାହାଣୀ

ପୂର୍ବରୁ ଦୂରରେ ଥିବା ନିଜ ଆତ୍ମୀୟ ମାନଙ୍କ ଭଲମନ୍ଦ କଥା ବୁଝିବା ପାଇଁ ଚିଠି ଦେବାନେବା ହେଉଥିଲା । ଏଥିପାଇଁଁ ଆମକୁ ଡାକ ଘର ଉପରେ ନିର୍ଭର କରିବାକୁ ପଡୁଥିଲା । ଏବେ କିନ୍ତୁ ଯୁଗ ବଦଳି ଯାଇଛି । ଯୁଗ ବଦଳିବା ସହିତ ହାତଲେଖା ଚିଠିର ମଧ୍ୟ ଆବଶ୍ୟକତା କମିଯାଇଛି । ମୋବାଇଲ ଓ କମ୍ୟୁଟରରେ ଇଂଟରନେଟ ବ୍ୟବହାର ଯୋଗୁ ଆତ୍ମୀୟ ମାନଙ୍କ ସହିତ ଭଲମନ୍ଦ କଥା ହେବା ପାଇଁ ଆଉ ଅସୁବିଧା ହେଉନାହିଁ. ଆତ୍ମୀୟଙ୍କ ସୁଖଦୁଃଖର ଖବର ସହଜରେ ଜାଣି ହୋଉଛି । ମୋବାଇଲ ସାହାଯ୍ୟରେ ଖୁବ କମ ସମୟରେ ଜଣକ ପାଖକୁ ଖବର ପଠାଯାଇ ପାରୁଛି । ତେଣୁ ଲୋକମାନେ ଆଉ ଚିଠି ମାଧ୍ୟମରେ ଖବର ଦିଆନିଆ ନହୋଇ ଇଣ୍ଟରନେଟ ଚାଳିତ ହ୍ୱାଟ୍ସଆପ, ମେସେଞ୍ଜର, ଇମେଲ ଇତ୍ୟାଦି ସାହାଯ୍ୟରେ ଖବର ଦେବାନେବା କରୁଛନ୍ତି । ଏହା ଅପେକ୍ଷାକୃତ ସହଜ ହେବା ସହିତ ସମୟର ମଧ୍ୟ ଅପଚୟ ହେଉନାହିଁ । ସଂଗେସଂଗେ ଜଣଙ୍କର ଖବର ବିଷୟରେ ଜାଣି ହେଉଛି ।

ବର୍ତମାନ ଯୁଗରେ ହାତଲେଖା ଚିଠିର ଚାହିଦା ବହୁମାତ୍ରାରେ କମିଯାଇଛି । କେବେକେବେ ଡାକ ମାଧ୍ୟମରେ ପଠା ଯାଉଥିବା ଚିଠି ସଠିକ ଲୋକଙ୍କ ପାଖରେ ମଧ୍ୟ ପହଁଚୁନଥିଲା । ଯାହାଫଳରେ ଖବର ଦେବାନେବାରେ ଆସୁବିଧା ହେଉଥିଲା । ଏବେ କେବଳ ସରକାରୀ ଦପ୍ତର ମାନଙ୍କରେ ଚିଠିପତ୍ରର ଦେବାନେବାର ବ୍ୟବସ୍ଥା ଅଛି । କିନ୍ତୁ ତାହା ମଧ୍ୟ ହାତଲେଖା ଚିଠି ନହୋଇ ଛପା ହୋଇ ପଠା ହେଉଛି ।

କିନ୍ତୁ ସାମାଜିକ ସଂଗଠନ ଆଉଟରିଚ ଚିଠିକୁ ଆପଣେଇ ଏବେବି ଲେଖୁଛି ହାତଲେଖା ଚିଠି । ପ୍ରତିବର୍ଷ ଫେବୃଆରୀ ମାସ ୧୩ ତାରିଖରେ ଏହି ସଂଗଠନ ଆନ୍ତର୍ଜାତୀୟ ରେଡିଓ ମେଳା ଆୟୋଜନ କରିଥାଏ । ରେଡିଓ ପ୍ରେମୀ ମାନଙ୍କ ପାଖକୁ ହାତଲେଖା ଚିଠି ମାଧ୍ୟମରେ ନିମନ୍ତ୍ରଣ କରାଯାଇଥାଏ । ପ୍ରତିବର୍ଷ ୫ ହଜାର ହାତଲେଖା ଚିଠି ମାଧ୍ୟମରେ ସମସ୍ତଙ୍କ ପାଖକୁ ନିମନ୍ତ୍ରଣ ପଠାଯାଇଥାଏ । ହାତରେ ୫ ହଜାର ଚିଠି ଲେଖିବା ପାଇଁ ପାଖାପାଖି ଦୁଇ ମାସ ସମୟ ଲାଗେ । ଆଉଟରିଚର ୨୦ ଜଣ ସ୍ବେଚ୍ଛାସେବୀ ନଭେମ୍ବର ମାସରୁ ଚିଠି ଲେଖା ଆରମ୍ଭ କରନ୍ତି । ଜାନୁଆରୀ ମାସରେ ଚିଠି ଲେଖା ସରିବା ପରେ ସେଗୁଡିକୁ ପୋଷ୍ଟ କରାଯାଏ । ନିମନ୍ତ୍ରଣ ହୋଇଥିବା ବ୍ୟକ୍ତିଙ୍କ ପାଖରେ ହାତଲେଖା ଚିଠି ପହଁଚିଲେ ସେ ବେଶ ଖୁସି ହୋଇଥାନ୍ତି । ହାତଲେଖା ଚିଠିରେ ଆତ୍ମୀୟତା ବା ଭଲ ପାଇବା ଥାଏ, ସେଥିପାଇଁ ଆମେ ରେଡ଼ିଓ ଶ୍ରୋତାମାନଙ୍କୁ ହାତରେ ଚିଠି ଲେଖୁ ବୋଲି କହନ୍ତି ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି । ଲୋକଙ୍କ ପାଖରେ ହାତଲେଖା ଚିଠି ପହଁଚିଲେ ସେ ଖୁସିରେ ଆତ୍ମହରା ହୋଇ ପଡନ୍ତି ।

ସୂଚନା ଅନୁସାରେ ୧୯୭୦ ମସିହା ପରଠାରୁ ପ୍ରତିବର୍ଷ ଅକ୍ଟୋବର ମାସ ୯ ତାରିଖକୁ ବିଶ୍ୱର ସମସ୍ତ ଦେଶ ବିଶ୍ୱ ଡାକ ଦିବସ ପାଳନ କରି ଆସୁଛନ୍ତି । ୧୯୭୪ ମସିହାରେ ସୁଇଜରଲ୍ୟାଣ୍ଡର ରାଜଧାନୀ ମେଲବର୍ଣ୍ଣ ଠାରେ ୟୁନିର୍ଭସଲ ପୋଷ୍ଟାଲ ୟୁନିୟନ ପ୍ରତିଷ୍ଠା ହୋଇ ବିଶ୍ୱ ସ୍ତରରେ ଡାକ ମାଧ୍ୟମରେ ଚିଠିପତ୍ର ଯୋଗାଯୋଗ ବ୍ୟବସ୍ଥାରେ ପରିବର୍ତନ ହୋଇଥିଲା । ଏହି ପରିବର୍ତନ ଫଳରେ ଚିଠିପତ୍ର କେବଳ ସହରରେ ନୁହେଁ ବରଂ ଦୂର ସ୍ଥାନକୁ ଯିବା ଆରମ୍ଭ ହୋଇଥିଲା । ୧୯୬୯ ରେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ୟୁନିୟନ ସମ୍ମିଳନୀରେ ଅକ୍ଟୋବର ୯ ତାରିଖକୁ ବିଶ୍ୱ ଡାକ ଦିବସ ରୂପେ ପାଳନ ପାଇଁ ଘୋଷଣା କରାଯାଇଥିଲା । ତା ପରଠାରୁ ଏହି ଦିବସ ପାଳନ ହେଉଛି ।

୧୯୮୫ ମସିହାରୁ ଲର୍ଡ ଡେଲାହାଉସି ଭାରତରେ ପ୍ରଥମେ ଡାକସେବା ଆରମ୍ଭ କରିଥିଲେ । ବର୍ତମାନ ସୁଦ୍ଧା ଭାରତରେ ୧୫୫୪୯୨ ଡାକଘର କାମ କରୁଛି । ଭାରତରେ ଡାକସେବା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଭାରତୀୟ ଡାକ ନିଜର ସେବା କେବଳ ସହରରେ ନୁହେଁ ବରଂ ଦୂର ଯାଗାରେ ମଧ୍ୟ ସେବା ଯୋଗାଇଥାଏ । ଏହିସେବା କେବଳ ଚିଠିପତ୍ର ଆଦାନ ପ୍ରଦାନ କରେନାହିଁ ବରଂ ବ୍ୟଙ୍କ ଏବଂ ଅନ୍ୟାନ୍ୟ ସେବା ମଧ୍ୟ ଯୋଗାଇଥାଏ । ୧୭୨୭ ମସିହାରେ କଲିକତା ଠାରେ ପ୍ରଥମେ ଆମ ଦେଶର ଡାକଘର ସ୍ଥାପିତ ହୋଇଥିଲା । ଆମ ଦେଶର ଡାକଘର ଗୁଡିକରେ ପ୍ରାୟ ୩୩.୦୩ କୋଟି ସଂଚୟ ଖାତା ଅଛି । ଭାରତ ସରକାରଙ୍କ ଡାକ ବିଭାଗ ଅକ୍ଟୋବର ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ଡାକ ସପ୍ତାହ ପାଳନ କରୁଛନ୍ତି । ସପ୍ତାହର ପ୍ରତ୍ୟେକ ଦିନକୁ ସଂଚୟ ଦିବସ, ଡାକ ଦିବସ, ଡାକ ଟିକେଟ ସଂଗ୍ରହ ଦିବସ, ବ୍ୟବସାୟ ବିକାଶ ଦିବସ ଓ ଡାକ ବୀମା ଦିବସ ଭାବେ ପାଳନ କରାଯାଉଛି । ଓଡିଶାରେ ୧୯୭୫ ମସିହାରେ ସ୍ୱତନ୍ତ୍ର ଡାକ ପରିମଣ୍ଡଳ ଗଠନ କରାଯାଇ ୮୨୧୫ ଟି ଡାକଘର ମାଧ୍ୟମରେ ସେବା ପ୍ରଦାନ କରାଯାଉଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top