Market

ବିଦେଶରୁ ଖଣିଜ ଅଧିଗ୍ରହଣ ଦିଗରେ ଭାରତକୁ ସମୃଦ୍ଧ କରିବା ପାଇଁ ନାଲ୍କୋ, ଏଚ୍ସିଏଲ୍ ଏବଂ ଏମ୍ଇସିଏଲ୍ ମଧ୍ୟରେ ଯୌଥ କମ୍ପାନୀ ପ୍ରତିଷ୍ଠା

ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ), ହିନ୍ଦୁସ୍ତାନ କପର୍ ଲିମିଟେଡ୍ (ଏଚ୍ସିଏଲ୍) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ୍ ଲିମିଟେଡ୍ (ଏମ୍ଇସିଏଲ୍) ମଧ୍ୟରେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ୍) ପ୍ରତିଷ୍ଠା ପାଇଁ ଏକ ଯୌଥ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଯାହା କି ଭାରତରେ ବ୍ୟବସାୟିକ ଉପଯୋଗ ଏବଂ ଘରୋଇ ବଜାରର ଆବଶ୍ୟକତା ପୂରଣ ପାଇଁ ବିଦେଶରୁ ଗୁରୁତ୍ୱପୂର୍ଣ୍ଣ ଖଣିଜଦ୍ରବ୍ୟର ଅଧିଗ୍ରହଣ, ଖନନ ଓ ପ୍ରକ୍ରିୟାକରଣ କରିବ ।

ଏହି ଯୌଥ ଉଦ୍ୟମ ପାଇଁ ବୁଝାମଣାପତ୍ରଟି ମାନ୍ୟବର କେନ୍ଦ୍ର ଖଣି, କୋଇଲା ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ନାଲ୍କୋ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ଏଚ୍ସିଏଲ୍ର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଶର୍ମା ଏବଂ ଏମ୍ଇସିଏଲ୍ର ଅଧ୍ୟକ୍ଷ ଡଃ ରଞ୍ଜିତ ରଥଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଏହି ପଦକ୍ଷେପ ପାଇଁ ନାଲ୍କୋ ଏବଂ ଅନ୍ୟ ଦୁଇ ଲୋକ ଉଦ୍ୟୋଗର ପ୍ରଶଂସା କରି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ କାବିଲ୍ ଦେଶର ଖଣିଜ ସମ୍ପଦର ଉପଲବ୍ଧତାକୁ ସୁନିଶ୍ଚିତ କରିବ ଏବଂ ଆମଦାନୀର ବିକଳ୍ପ ଭାବେ ସାବ୍ୟସ୍ତ ହେବ ।

ଏହି ଅବସରରେ, କେନ୍ଦ୍ର ଖଣି ମନ୍ତ୍ରାଳୟର ସଚିବ ଶ୍ରୀ ଅନୀଲ ମୁକିମ, ଅତିରିକ୍ତ ସଚିବ ଡଃ କେ. ରାଜେଶ୍ୱର ରାଓ, ଯୁଗ୍ମ ସଚିବ ଶ୍ରୀ ଅନୀଲ କୁମାର ନାୟକ ଏବଂ ଶ୍ରୀ ଏନ୍.କେ. ସିଂ, ଶ୍ରୀ ବିପୁଲ ପାଠକ, ଶ୍ର ଆଲୋକ ଚନ୍ଦ୍ରା ଓ ରୀନା ପୁରୀ ସମେତ ଖଣି ଓ କୋଇଲା ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଏହି ଯୌଥ ଉଦ୍ୟମରେ ନାଲ୍କୋ, ଏଚ୍ସିଏଲ୍ ଏବଂ ଏମ୍ଇସିଏଲ୍ର ଇକ୍ୱିଟୀ ଅନୁପାତ ୪୦% : ୩୦% : ୩୦% ରହିବ ।
ବିଦେଶରୁ ଗୁରତ୍ୱପୂର୍ଣ୍ଣ ଖଣିଜଦ୍ରବ୍ୟର ଚିହ୍ନଟ, ଖନନ, ଅଧିଗ୍ରହଣ, ବିକାଶ, ପ୍ରକ୍ରିୟାକରଣ, କ୍ରୟ ଓ ବିକ୍ରୟ ତଥା ଭାରତ ଓ ଭାରତ ବାହାରେ ସେଗୁଡ଼ିକର ବ୍ୟବସାୟିକ ବ୍ୟବହାର ହେଉଛି ଏହି ଯୌଥ ଉଦ୍ୟମର ଲକ୍ଷ୍ୟ । ଘରୋଇ ଆବଶ୍ୟକତାକୁ ପୂରଣ କରିବା ତଥା ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ସମୃଦ୍ଧ କରିବା ପାଇଁ ଏହି ଖଣିଜଦ୍ରବ୍ୟଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରାଯିବା ପାଇଁ ଏହି ଯୌଥ ଉଦ୍ୟମ କାର୍ଯ୍ୟ କରିବ ।

ଏହି ପରିପ୍ରେକ୍ଷୀରେ, ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜଦ୍ରବ୍ୟ ଚିହ୍ନଟ କରାଯାଇଛି ଏବଂ ପ୍ରାଥମିକ ଭାବେ ଲିଥିୟମ୍ ଓ କୋବାଲ୍ଟ୍କୁ ପ୍ରାଥମିକତା ଦିଆଯିବ । ଏହା ପର ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ କରାଯିବ । ପୂର୍ବରୁ, ଫେବୃୟାରୀ ୨୦୧୯ରେ ଏହି ୩ଟି ଲୋକଉଦ୍ୟୋଗ ମଧ୍ୟରେ ଯୌଥ ଉଦ୍ୟମ ପ୍ରତିଷ୍ଠାର ପ୍ରସ୍ତାବକୁ ନୀତି ଆୟୋଗ ମଞ୍ଜୁରୀ ପ୍ରଦାନ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ବିଦେଶରୁ ଖଣିଜପଦାର୍ଥ ଅଧିଗ୍ରହଣ ପାଇଁ କାର୍ଯ୍ୟ କରୁଥିବା ହାତଗଣତି କେତୋଟି କମ୍ପାନୀ ମଧ୍ୟରେ କାବିଲ୍ ଅନ୍ୟତମ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top