Feature

ବଢୁଛି ବିପଜ୍ଜନକ ସେଲ୍ଫି ଟ୍ରେଣ୍ଡ୍: ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ

ରାଜ୍ୟରେ ବିପଜ୍ଜନକ ସେଲ୍ଫି ଟ୍ରେଣ୍ଡ୍ ବଢିବାରେ ଲାଗିଛି । ନିକଟରେ ଏଭଳି ଏକ ଦୁଃସାହସିକ ସେଲଫି ଜନିତ ମୃତ୍ୟୁ ଖବର ଆସିଛି ରାୟଗଡାରୁ । ମଙ୍ଗଳବାର ରାୟଗଡାରେ ଥିବା ମା ମଝିଘରିଆଣିଙ୍କ ଦର୍ଶନ ପରେ ମନ୍ଦିର ନିକଟରେ ଥିବା ଝୁଲା ବ୍ରିଜ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ଫଟୋ ଉଠାଇ ଜଣକ ଜୀବନ ଯାଇଥିବା ଜାଣିବାକୁ ମିଳିଛି ।

ପ୍ରକାଶ ଥାଉକି ପଡୋଶୀ ରାଜ୍ୟ ଆନ୍ଧ୍ରରୁ ୧୦ ଜଣ ସାଙ୍ଗ ରାୟଗଡା ବୁଲିବାକୁ ଆସିଥିଲେ । ୧୦ ସାଙ୍ଗ ରାୟଗଡା ଆସି ମା ମଝିଘରିଆଣିଙ୍କ ଦର୍ଶନପରେ ମନ୍ଦିର ଉପକଣ୍ଠରେ ଥିବା ଝୁଲା ବ୍ରିଜ ଦେଖିବାକୁ ଯାଇଥିଲେ । ନାଗାବଳି ନଦୀ ତଳେ ପ୍ରବାହିତ ହେଉଥିବା ନଦୀରେ ଥିବା ଚାଂଚରା ପଥରକୁ ଫଟୋ ଉଠାଇବାକୁ ଯାଇଥିଲେ । ସେଲଫି ନେଲାବେଳେ ୧୦ ଜଣଙ୍କ ମଧ୍ୟରୁ ଏମ. ଗାଙ୍ଗରାଜୁ (୩୬) ନାମକ ଜଣେ ଯୁବକ ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସିପଡି ଜୀବନ ହରାଇଥିଲେ । ତାଙ୍କୁ ସାଙ୍ଗମାନେ ବଂଚାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ ।

ଲାଇକ୍ ଓ କମେଂଟ୍ ପାଇବା ଆଶାରେ ଆମେ ନିଜର ଫଟୋ ବିଭିନ୍ନ ସୋସିଆଲ ସାଇଟରେ ଆପଲୋଡ କରିଥାଉ । ଭିନ୍ନଭିନ୍ନ ପ୍ରକାରର ଭଙ୍ଗିରେ ଆମେ ନିଜର ପ୍ରତିଛବି ଉଠାଇ ସୋସିଆଲ ସାଇଟରେ ଅପଲୋଡ କରିଥାଉ । ତେବେ ବେଳେବେଳେ କେତେକ ଅଧିକରୁ ଅଧିକ ଲାଇକ କମେଂଟ୍ ପାଇବା ଆଶାରେ ନିଜ ଜୀବନକୁ ବାଜି ଲଗାଇ ଦୁଃସାହସିକ ଫଟୋ ଉଠାଇବାକୁ ମଧ୍ୟ ପଛାଇ ନଥାନ୍ତି । ଛାତ ଉପରେ ଛିଡା ହୋଇ, ନଦୀ ପୋଲ ଉପରେ ଛିଡା ହୋଇ, ସାପକୁ ଧରି ଆଦି ଦୁଃସାହସିକ ଫଟୋ ଉଠାଇବା ଫଳରେ ବେଳେବେଳେ ଗୁରୁତର ଆହତ ହେବା ସହିତ ନିଜ ଜୀବନକୁ ମଧ୍ୟ ହରାଇଥିବାର ଅନେକ ଉଦାହରଣ ରହିଛି ।

ସେଲଫି ଯୋଗୁ ଜୀବନ ଯିବା ନୂଆ ଘଟଣା ନୁହେଁ । ସୂଚନା ଯୋଗ୍ୟ ଏଇ ଗୁରବାର ଦିନ ଦିଲ୍ଲୀର ବିଜୟ ବିହାର ଠାରେ ଜଣେ ଯୁବକ ତାଙ୍କ ସାଙ୍ଗ ସହିତ ବନ୍ଧୁକ ଧରି ସେଲଫି ନେଉଥିବା ବେଳେ ଦୁର୍ଘଟଣା ବସତଃ ବନ୍ଧୁକରୁ ଗୁଳିଫୁଟି ତାଙ୍କ ମୃତ୍ୟୁ ହୋଇଛି । ସେହିପରି ମେ ୨୨ ତାରିଖରେ ଆଷ୍ଟ୍ରେଲିଆରେ ପାଠ ପଢୁଥିବା ଜଣେ ଭାରତୀୟ ଛାତ୍ର ସେଠାରେ ଥିବା ଏକ ୪୦ ମିଟର ଉଚ୍ଚ ପାହାଡ ଉପରୁ ସେଲଫି ନେଉଥିବା ସମୟରେ ସମୁଦ୍ରର ଏକ ଘାଇକୁ ଖସିପଡି ଜୀବନ ହାରିଥିଲେ । ସେହିପରି ଗତ ଅକ୍ଟୋବର ୨୮ ତାରିଖରେ ୧୫ ବର୍ଷର ବିଶ୍ୱଜିତ ତୁରୀ ନାମକ ବାଳକ ଟ୍ରେନରେ ଯାଉଥିବା ସମୟରେ ଚଳନ୍ତା ଟ୍ରେନରୁ ଓହଳି ସେଲଫି ଉଠାଉଥିଲେ । ବିପରୀତ ଦିଗରୁ ଆସୁଥିବା ଟ୍ରେନ ମାଡରେ ତାଙ୍କର ଜୀବନ ଚାଲିଯାଇଥିଲା ।

ଫୋଟୋ: ଫାଇଲ

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top