State

ପାଣିପାଗ ବିଭାଗର ସ୍ପଷ୍ଟ ପୂର୍ବାନୁମାନ ସତ୍ୱେ ରାଜ୍ୟ ସରକାରଙ୍କର ପ୍ରସ୍ତୁତିର ବିଫଳତା ସ୍ପଷ୍ଟ ବାରି ହୋଇପଡୁଛି: ବିଜେପି

ସାମୁଦ୍ରିକ ଝଡ ତିତଲି ଓ ପରବର୍ତୀ ପ୍ରବଳ ବର୍ଷା ଜନିତ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁୁ ରାଜ୍ୟର ଯୁବବର୍ଗ ଆଗେଇ ଆସି ସହଯୋଗର ହାତ ବଢାଇବା ପାଇଁ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଜଣାଇଛନ୍ତି । ଏହାସହ ଗାଁ ଗାଁ ପର୍ଯ୍ୟନ୍ତ ବିଜେପିର କାର୍ଯ୍ୟକର୍ତା ମାନେ ଦୃର୍ଦିନର ସାମ୍ନା କରୁଥିବା ଲୋକମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଦଳ କାମରେ ଲାଗିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବାତ୍ୟା ଓ ଆସନ୍ନ ଲଗାଣ ବର୍ଷା ନେଇ ପାଣିପାଗ ବିଭାଗର ସ୍ପଷ୍ଟ ପୂର୍ବାନୁମାନ ସତ୍ୱେ ରାଜ୍ୟ ସରକାର ଙ୍କର ପ୍ରସ୍ତୁତିର ବିଫଳତା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଥିବା ବେଳେ ଖୋଦ ରାଜ୍ୟ ମୁଖ୍ୟଶାସନ ସଚିବ ଆକଳନ ଭୁଲ୍ କାରଣରୁ ସମସ୍ୟାକୁ ସାମ୍ନା କରିବାରେ ପ୍ରଶାସନ ବିଫଳ ହୋଇଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ସଚିବାଳୟରେ ଘନଘନ ସମୀକ୍ଷା ବୈଠକ କରି କେବଳ ବାହାବା ନେବାପାଇଁ ଘୋଷଣା ସର୍ବସ୍ୱ ସରକାରଙ୍କର ତୃଣମୂଳ ସ୍ତରରେ ସମ୍ଭାବ୍ୟ ଦୃର୍ବିପାକର ମୁକାବିଲା ପାଇଁ କୌଣସି ପ୍ରସ୍ତୁତି ନଥିଲା ।

୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାର ମିଛ ଡ୍ରାମା କରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପାଇଁ ରାଜ୍ୟ ସରକାରଙ୍କର ମିଛ ଘୋଷଣାର ପର୍ଦାଫାସ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସରକାରଙ୍କ ଜିରୋ କାଜୁଆଲିଟିର ବଡ ଘୋଷଣା ସମ୍ପୂର୍ଣ ରୂପେ ବିଫଳ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସଚିବାଳୟରୁ ପ୍ରସ୍ତୁତିର ଘୋଷଣା ମାତ୍ର ତୃଣମୂଳ ସ୍ତରରେ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ଓ ସରକାରୀ କର୍ମଚାରୀ ମରୁଡି ରାଜ୍ୟ ସରକାରଙ୍କ ମିଛ ଦାବିକୁ ଭୁଲ୍ ପ୍ରମାଣିତ କରିଛି ।ଖୋଦ ମୁଖ୍ୟଶାସନ ସଚିବ ତିତଲି ଓ ବର୍ଷା ବିଫଳତାକୁ ସ୍ୱୀକାର କରି ସାରିଥିବା ବେଳେ ନବୀନ ସରକାରଙ୍କର ଆଉ ବାହାସ୍ପୋଟ ନ ମାରି ଲୋକଙ୍କ ମନୁଷ୍ୟକୃତ ଓ ପରିଚାଳନା ତ୍ରୁଟି କାରଣରୁ ଦୃର୍ଦ୍ଦଶା ପାଇଁ ଲୋକମାନଙ୍କ ପାଖରେ ଉତରଦାୟୀ ରହିବାକୁ ପଡିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଓଡିଶାର ଏହି ଦୃର୍ବିପାକ ସମୟରେ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାପାଇଁ ପ୍ରସ୍ତୁତ । ଗତକାଲି ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରି ସବୁ ପ୍ରକାର ସହଯୋଗ ପାଇଁ ଦୃଢ ପ୍ରତିଶୃତି ପାଇଛନ୍ତି । ଏନଡିଆରଏଫ ତରଫରୁ ବାତ୍ୟା ଓ ବନ୍ୟା ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନକୁ ଉଚିତ ସହାୟତା ଯୋଗାଇ ଦେଇଥିବା ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top