State

ନଭେମ୍ବର ୩ରେ ଭୁବନେଶ୍ୱର ଆସୁଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ୪ ତାରିଖରେ ଦେବେ ଦର୍ଶନ ଓ ଆଶୀର୍ବଚନ

ପୁରୀ ଗୋବର୍ଦ୍ଧନ ମଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଆଗାମୀ ନଭେମ୍ବର ପ୍ରଥମ ସପ୍ତାହରେ ୩ ଦିନିଆ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି । ନଭେମ୍ବର ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଶଙ୍କରାଚାର୍ଯ୍ୟ କଳିଙ୍ଗ ବିହାରରେ ସମ୍ ହସ୍ପିଟାଲ ନିକଟସ୍ଥ ଗ୍ରାଣ୍ଡ୍ ମାର୍କ ଏକ୍ଜୋଟିକା-୧ରେ ଅବସ୍ଥାନ କରିବେ । ପୁରୀ ଗୋବର୍ଦ୍ଧନ ପୀଠରୁ ପ୍ରାପ୍ତ ସୂଚନା ଅନୁସାରେ ଶଙ୍କରାଚାର୍ଯ୍ୟ ବର୍ତମାନ ପ୍ରୟାଗରାଜ (ଆହ୍ଲାବାଦ) ଗସ୍ତରେ ଅଛନ୍ତି । ନଭେମ୍ବର ୩ ତାରିଖ ପୂର୍ବାହ୍ନରେ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଂଚି ପ୍ରଥମେ ସେ ଏକ ଧର୍ମସଭାରେ ଯୋଗଦେବା ନିମନ୍ତେ ଯାଜପୁର ଜିଲ୍ଲାର ବଡ଼ଚଣା ଗସ୍ତ କରିବେ । ସେଠାରୁ ସଂଧ୍ୟାରେ ଭୁବନେଶ୍ୱର ଫେରି ଗ୍ରାଣ୍ଡ୍ ମାର୍କ ଏକ୍ଜୋଟିକାରେ ଅବସ୍ଥାନ କରିବେ । ୪ ତାରିଖ ପୂର୍ବାହ୍ଣ ୧୧ଟାରେ ଜଗଦଗୁରୁ ଗ୍ରାଣ୍ଡ୍ ମାର୍କ ଏକ୍ଜୋଟିକା ପରିସରରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ସହ ଆଶୀର୍ବଚନ ପ୍ରଦାନ କରିବେ । ସେହିଦିନ ଅପରାହ୍ଣରେ ଗଙ୍ଗପଡ଼ା ସ୍ଥିତ ଆଦ୍ୟାନ୍ତ +୨ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବେ ଶଙ୍କରାଚାର୍ଯ୍ୟ ।

୫ ତାରିଖ ଅପରାହ୍ଣରେ ଜୟଦେବ ଭବନ ଠାରେ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଉପସ୍ଥିତ ରହିବେ ଓ ସଂଧ୍ୟାରେ ପୁରୀ ଅଭିମୁଖେ ଯାତ୍ରା କରିବେ ବୋଲି ଗୋବର୍ଦ୍ଧନ ମଠର ରଷ୍ଟ୍ରୀୟ ସମ୍ପର୍କ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନଭେମ୍ବର ୪ ତାରିଖରେ ହେବାକୁ ଥିବା ସର୍ବସାଧାରଣ ଦର୍ଶନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିବା ଲାଗି ଗ୍ରାଣ୍ଡ ମାର୍ମ ଏକ୍ଜୋଟିକା ସଭାପତି ସୁଦୀପ୍ତ ଦାଶ, ସଂପାଦକ ଶୁଭେନ୍ଦୁ ଦାସ ଓ ସମସ୍ତ ଅଧିବାସୀ ଅନୁରୋଧ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଆଦିତ୍ୟ ବାହିନୀ ପୂର୍ବାଂଚଳ ସଂପର୍କ ସଚିବ ଜ୍ଞାନଭୂଷଣ ଗୁପ୍ତା, ଭୁବନେଶ୍ୱର କ୍ଷେତ୍ରୀୟ ସଂପାଦକ ଶୁଭେନ୍ଦୁ ଦାସ ଏବଂ ସମାଜସେବୀ ଅଜୟ କୁମାର ନାୟକ ତଦାରଖ କରିବେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top