କପିଳାସ କୁମାର ବେହେରାଙ୍କ ରିପୋର୍ଟ
ସାଧାରଣରେ ବିଶ୍ୱାସ କରାଯାଏ କି ଧନତେରାସ ଦିନ ସୁନା ଆଣିଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ସୁଖ ସମୃଦ୍ଧି ମଧ୍ୟ ବଢିଥାଏ । ଏହି ପରିପ୍ରେକ୍ଷୀରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଧନତେରାସ୍ରେ ଗହଣା ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଥିଲା । କେବଳ ବଡ ଗହଣା ସୋ-ରୁମ ନୁହେଁ ଛୋଟଛୋଟ ଦୋକାନମାନଙ୍କରେ ମଧ୍ୟ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।
କିନ୍ତୁ ପୁରାଣ କହେ ଅଲଗା କଥା । କାର୍ତିକ କୃର୍ଷ୍ଣ ତ୍ରୟୋଦଶୀ ହେଉଛି ଧନ୍ୱନ୍ତରି ଦେବୀଙ୍କ ଆବିର୍ଭାବ ଦିବସ । ଧନ୍ୱନ୍ତରି ହେଉଛନ୍ତି ବୈଦିକ ଦେବତା । ପ୍ରସିଦ୍ଦ ପତ୍ରିକା ପୌରୁଷରେ ପ୍ରକାଶିତ ଏକ ଆଲେଖ୍ୟ ଅନୁଯାୟୀ ଏହି ନାମ ସହିତ ଅଳଙ୍କାର ରୁପକ ଧନର କୌଣସି ସମ୍ପର୍କ ନାହିଁ । ଧ୍ୱନନ୍ତରି ଶବ୍ଦର ମୂଳ ଶବ୍ଦ ହେଉଛି ଧନ୍ୱ-ଅନ୍ତ-ର-ଇ । ଧନ୍ୱର ଆକ୍ଷରିକ ଅର୍ଥ ମରୁଭୂମି ବୋଲି ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ଶବ୍ଦ ଅଭିଧାନରେ ଉଲ୍ଲେଖ ଅଛି । ମରୁଭୂମିର ଅନ୍ତ ପରେ ସମୁଦ୍ରରୁ ଉତଥିତ ହୋଇଥିବାରୁ ତାଙ୍କର ନାମ ଧନ୍ୱନ୍ତରି । ଧନ ସହିତ ଧନ୍ୱନ୍ତରିର କୌଣସି ସମ୍ପର୍କ ନାହିଁ । ତେବେ ପୂରାଣ ଏହା ମଧ୍ୟ ସୂଚାଏ ଯେ ଧନ୍ୱନ୍ତରିଙ୍କ ପୃଥିବୀରେ ଧରାବତରଣ ମଣିଷର ସ୍ୱାସ୍ଥ୍ୟ ରୂପକ ଧନର ସୁରକ୍ଷା ପାଇଁ । ସୁନା, ରୁପା, ହୀରା ଆଦି ଐତିହ୍ୟ ସୁଖ ଓ ବିଳାସ ସହ ତାର କୌଣସି ସମ୍ପର୍କ ନାହିଁ । କିନ୍ତୁ ଆମେ ଧନ୍ୱନ୍ତରିଙ୍କ ଆବିର୍ଭାବ ଦିବସ କାର୍ତିକ କୃଷ୍ଣ ତ୍ରୟୋଦଶୀକୁ ଧନ୍ୱନ୍ତରି ତ୍ରୟୋଦଶୀଭାବେ ପାଳନ ନକରି ସେହି ଦିନକୁ ଧନତେରାସ ବା ଧନତ୍ରୟୋଦଶୀ ଭାବରେ ପାଳନ କରିଥାଉ । ଧନ ସାଇତିବା ପାଇଁ ଏହି ଦିନକୁ ଆମେ ବିଭିନ୍ନ ସୁନା ରୁପା ଦୋକାନରେ ଭିଡ ଜମାଇ ଥାଉ । ଏହି ଦିନ ସୁନା ରୁପା ଆଦି ଗହଣା ନକିଣି ନିଜର ସ୍ୱାସ୍ଥ୍ୟଧନକୁ ସୁରକ୍ଷା ଦେବା ଦିଗରେ ଧ୍ୟାନ ଦେବା ଦରକାର ।
ଧନ୍ୱନ୍ତରିଙ୍କ ନାମରେ ଧନତେରସ ପାଳନ ସୁନା, ରୁପା ଦୋକାନୀଙ୍କ ଏକ ଚତୁର ବ୍ୟବସାୟୀକ ଫନ୍ଦି । ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି କହି ବ୍ୟବସାୟୀମାନେ ନିଜ ଜାଲରେ ଲୋକଙ୍କୁ ଛନ୍ଦି କୋଟିକୋଟି ଟଙ୍କାର ବେପାର କରି ଲାଭବାନ ହେଉଛନ୍ତି । ଏହି ଆଧାରରେ ସୁନା କିଣିବା ପାଇଁ ଲୋକେ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି ଏହି ଦିନକୁ । ଏବର୍ଷ ମଧ୍ୟ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ଜୟପୁର, ରାଉରକେଲା, ଅନୁଗୁଳ ଓ ଢେଙ୍କାନାଳ ପରି ପ୍ରମୁଖ ସହରର ଗହଣା ଦୋକାନ ଗୁଡିକରେ ଲାଗିଥିଲା ଭିଡ । ସକାଳରୁ ଭିଡ ଆରମ୍ଭ ହୋଇ ବିଳମ୍ବ ରାତ୍ରୀ ପର୍ଯ୍ୟନ୍ତ ଚାଲିଥିଲା କିଣା ବିକା । ସାଧାରଣ ଦିନ ଗୁଡିକରେ ଯେଉଁ ବିକ୍ରି ହୋଇଥାଏ ତାହା ତୁଳନାରେ ଏହି ଦିନ ପାଖାପାଖି ୧୦-୧୫ ଗୁଣ ଅଧିକ ସୁନା ରୁପା ବିକ୍ରି ହୋଇଥାଏ । ସୁନା ରୁପା ଦୋକାନୀ ମାନେ ଗ୍ରାହକଙ୍କୁ ଅଧିକରୁ ଅଧିକ ଆକର୍ଷଣୀୟ ଅଫରର ଆଳଦେଖାଇ ଓ ଆଗାମୀ ଦିନରେ ଏହା ମିଳିବ ନାହିଁର ଆଳ ଦେଖାଇ ଆକୃଷ୍ଟ କରିଥାନ୍ତି । ଏହା ହିଁ ସୁନା ରୁପା ବିକ୍ରି ବୃଦ୍ଧିର କାରଣ ବୋଲି କୁହାଯାଉଛି ।
ଭୁବନେଶ୍ୱର ଏକ ପ୍ରମୁଖ ଗହଣା ବ୍ୟବସାୟୀ କହନ୍ତି ଆଗକୁ ବାହାଘର ସିଜିନକୁ ଆଖିରେ ରଖି ଗ୍ରାହକ ମାନେ ଅଧରକ ଓଜନର ହଗଣା କିଣିଛନ୍ତି । ଏବଂ ଅନ୍ୟମାନେ ଦୈନିକ ବ୍ୟବହାର ପାଇଁ ହାଲୁକା ଓଜନର ଗହଣା କିଣିଛନ୍ତି । ଖେମଜି ଜୁଏଲର୍ସ ଜିଏମ କହନ୍ତି ଗତବର୍ଷ ଗତବର୍ଷ ତୁଳନାରେ ଏ ବର୍ଷ ୧୦ ରୁ ୧୫ ପ୍ରତିଶତ ଅଧିକ ସୁନା ଗହଣା ବିକ୍ରି ହୋଇଥିବା ଅନୁମାନ କରାଯାଉଛି ।
ସୂଚନା ଅନୁସାରେ ଗତବର୍ଷ ଠାରୁ ଚଳିତ ବର୍ଷରେ ୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଓ ରୁପାର ମୂଲ୍ୟ ଅଧିକ ଥିଲେ ମଧ୍ୟ ଏହି ଦିନ ସୁନା କିଣିବା ଗ୍ରାହକ ମାନଙ୍କର ଏକ ଟ୍ରେଣ୍ଡରେ ପରିଣତ ହୋଇଯାଇଛି ।
ଏ ବାବଦରେ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତିଙ୍କ ମତ ହେଉଛି କାର୍ତିକ କୃର୍ଷ୍ଣ ତ୍ରୟୋଦଶୀ ଧନ ତେରସ ପାଇଁ ସୁନା ଦୋକାନ ଗୁଡିକରେ ଭିଡ ଜମେ କିନ୍ତୁ ଏହି ଦିନଟି ମୂଲତଃ ଯେ ଧନ୍ୱନ୍ତରି ଜୟନ୍ତୀ ସେ କଥା ଆମେ ଭୁଲି ଯାଇଛୁ ।
ଏ ବାବଦରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି କହନ୍ତି ଧନ୍ୱନ୍ତରି ଜୟନ୍ତୀକୁ ଧନତେରାସ କହି ଧନଲକ୍ଷ୍ମୀଙ୍କ ସହ ଯୋଡି ଦେଇଛନ୍ତି ସୁନା ବେପାରୀ ।
