Twin City

ଡିସେମ୍ବର ୮ରୁ ଟୁର୍-ଡେ-କଳିଙ୍ଗ

ରୁଟସ ଅଫ୍ ଓଡ଼ିଶା ଫାଉଣ୍ଡେସନ୍ ପକ୍ଷରୁ ଗତ ଚାରିବର୍ଷ ଧରି ହୋଇ ଆସୁଥିବା ଅନ୍ତର୍ଜାତୀୟ ସାଇକ୍ଲୋଥନ୍ କାର୍ଯ୍ୟକ୍ରମରେ ଚଳିତ ବର୍ଷ ଯୋଡ଼ିହୋଇଛି ନୂଆ ଏକ ଫର୍ଦ୍ଦ । ଚଳିତ ବର୍ଷ ଟୁର୍ ଡେ କଳିଙ୍ଗ ନାମରେ ପରିଚିତ ଏହି ସାଇକେଲ ପରିଭ୍ରମଣ କାର୍ଯ୍ୟକ୍ରମ ଦେଶର ଦୀର୍ଘତମ ସଂଗୋଷ୍ଠୀ ସାଇକେଲ ଯାତ୍ରା ଭାବରେ ପରିଗଣିତ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୮ ତାରିଖରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରୁ ଆରମ୍ଭ ହେବାକୁ ଥିବା ଏହି ସାଇକେଲ ଯାତ୍ରା ୧୩ ଦିନରେ ରାଜ୍ୟର ୧୦ଟି ଜିଲ୍ଲାରେ ୧୩୦୦ କିଲୋମିଟର ରାସ୍ତା ପରିଭ୍ରମଣ କରି ସେହି ମାସ ୨୦ ତାରିଖରେ ଭୁବନେଶ୍ୱରରେ ପହଂଚିବ ବୋଲି ଫାଉଣ୍ଡେସନ୍ର ଅଧ୍ୟକ୍ଷ ସୁଧୀର କୁମାର ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ସ୍ଥାନୀୟ ନ୍ୟୁ ମାରିଅନ୍ ହୋଟେଲ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ, ଡିସେମ୍ବର ୮ ତାରିଖ ସକାଳେ ଏହି ସାଇକେଲ ଯାତ୍ରା ରବୀନ୍ଦ୍ର ମଣ୍ଡପ ଠାରୁ ଆରମ୍ଭ ହେବ । ଏଥିରେ ୩୦ ଜଣ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜଣାଶୁଣା ସାଇକେଲ ଚାଳକଙ୍କ ସହ ରାଜ୍ୟର ପ୍ରାୟ ୫୦୦ରୁ ଅଧିକ ବ୍ୟକ୍ତି ସାମିଲ ହେବେ । ଏହି ବିଶାଳ ସାଇକେଲ ଶୋଭାଯାତ୍ରା କୋଣାର୍କ-ପୁରୀ ଦେଇ ସେଦିନ ସଂଧ୍ୟାରେ ସାତପଡ଼ା ଠାରେ ପହଂଚିବ ।

ପରଦିନ ସକାଳୁ ୩୦ ଜଣ ସାଇକେଲ ଚାଳକଙ୍କୁ ଧରି ରାଜ୍ୟ ପରିକ୍ରମାରେ ବାହାରିବ । ସାଇକେଲ ଯାତ୍ରା ଦଳ ବ୍ରହ୍ମପୁର, ଚନ୍ଦ୍ରଗିରି, ପାରଳାଖେମୁଣ୍ଡି,ରାୟଗଡ଼ା ଦେଇ କୋରାପୁଟରେ ପହଂଚିବେ । ସେଠାରୁ ବେଲଘର, ଫୁଲବାଣୀ, ନୟାଗଡ଼ ଓ ଖୋର୍ଧା ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ । ୨୦ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଟୁର-ଡେ-କଳିଙ୍ଗ ସାଇକେଲ ଯାତ୍ରା ସମାପ୍ତ ହେବ ଓ ଏକ ଉଦ୍ଯାପନୀ ସମାରୋହରେ ସମସ୍ତ ସହଭାଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ଶ୍ରୀ ଦାଶ ଜଣାଇଛନ୍ତି । ରାଜ୍ୟ ପରିଭ୍ରମଣ ସମୟରେ ଏହି ଯାତ୍ରୀଦଳ ସାମାଜିର୍ଦାୟିତ୍ୱ, ସ୍ୱଚ୍ଚତା, ପରିବେଶ ସୁରକ୍ଷା ଓ ଶିକ୍ଷା ବାବଦରେ ସଚେତନତା ବାର୍ତା ବାଂଟିବା ସହ ସହ ଅନ୍ଧବିଶ୍ୱାସ, ଶିଶୁମଡ଼କ, ନିଶାସେବନ, ପ୍ଲାଷ୍ଟିକ୍ ବ୍ୟବହାର ଓ ଦୁର୍ନୀତି ବିରୋଧରେ ଜନଜାଗରଣ ସୃଷ୍ଟି କରିବେ । ୨୦୧୫ ମସିହାରେ କୋଣାର୍କ ଇଂଟରନାସନାଲ ସାଇକ୍ଲୋଥନ୍ ନାମରେ ଓଡ଼ିଶାରେ ଏକ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ରୁଟସ ଅଫ୍ ଓଡ଼ିଶା ଫାଉଣ୍ଡେସନ୍ ୨୦୧୬ରେ କୋଣାର୍କରୁ ନୂଆଦିଲ୍ଲୀ ସାଇକେଲ ଯାତ୍ରା କରି ଏକ ବିରଳ କୀର୍ତିମାନ ଅର୍ଜନ କରିଥିଲେ । ଚଳିତ ବର୍ଷ ଟୁର୍ ଡେ କଳିଙ୍ଗରେ ଅନ୍ତ୍ରର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଓ ଏକମାତ୍ର ଏସିୟ ଭାବେ ଟ୍ରାନ୍ସ-ସାଇବେରିଆନ୍ ଏକ୍ସଟ୍ରିମ୍ (୨୦ ଦିନରେ ୯୨୦୦ କିଲୋମିଟର) ସାଇକେଲ ଚାଳନା କରିଥିବା ଡକ୍ଟର ଅମିତ ସମର୍ଥ ମଧ୍ୟ ଆମ୍ବାସାଡର୍ ଭାବେ ଯୋଗ ଦେଉଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ରାଜନେତା ଓ ପରିବେଶବିତ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏବଂ ଲେଖକ-ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top