State

ଚାଷୀ ଆତ୍ମହତ୍ୟା ପାଇଁ ଉଭୟ ବିଜେଡି ଓ ବିଜେପି ସରକାର ଦାୟୀ ଉଭୟ ଦଳର ଚାଷୀଙ୍କ ବିକାଶ କେବଳ ପ୍ରଚାର ପ୍ରସାର ସର୍ବସ୍ୱ: କଂଗ୍ରେସ

କେନ୍ଦ୍ର ବିଜେପି ସରକାରର ସାଢ଼େ ଚାରିବର୍ଷ ଓ ରାଜ୍ୟ ବିଜେଡ଼ି ସରକାରର ୧୯ ବର୍ଷ ଶାସନ କାଳରେ ଚାଷୀ ଘୋର ଦୁର୍ଦଶାର ସମ୍ମୁଖୀନ । ସମଗ୍ର ଦେଶରେ ଚାଷ ବିପର୍ଯ୍ୟସ୍ତ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ । ଫଳ ସ୍ୱରୂପ ଏହି ଉଭୟ ଦଳର ଶାସନ କାଳରେ ଓଡ଼ିଶାରେ ୭୨୭୨ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଚାଷ ଓ ଚାଷୀର ବିକାଶ ପାଇଁ ବିଭିନ୍ନ ସମୟରେ ଏହି ସରକାର ଯେତେଗୁଡ଼ିଏ ପ୍ରତିଶ୍ରୁତି ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛରେ ପରିଣତ ହୋଇଛି ବୋଲି ଆଜି ପ୍ରଦେଶ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଉଭୟ ସରକାରଙ୍କୁ ଦୃଢ଼ ସମାଲୋଚନା କରିବା ସହିତ ଚାଷୀଙ୍କ ଆଜିର ଏପରି ଦୁଃସ୍ଥିତି ପାଇଁ ଏହି ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସାଢ଼େ ୪ବର୍ଷ ତଳେ କୃଷି ଉତ୍ପାଦନ ଖର୍ଚ୍ଚର ମୂଲ୍ୟ ଚାଷୀଙ୍କୁ ଦେଢ଼ଗୁଣା ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଲାଭବାନ ହେବା ପରିବର୍ତେ ବୀମା କମ୍ପାନୀ ଓ ସରକାର ମାଲାମାଲ ହୋଇଛନ୍ତି । ଦେଶର ୧୫ ଗୋଟି ଶିଳ୍ପପତିଙ୍କୁ ୧ ଲକ୍ଷ ୫୪ ହଜାର କୋଟି ଟଙ୍କା ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କ ପାଇଁ ଫଟା ପାହୁଲାଟିଏ ଋଣ ଛାଡ଼ କରି ନାହାନ୍ତି । ମୃତିକା ପରୀକ୍ଷା ଓ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଚାଷୀର ଆୟ ଦେଢ଼ଗୁଣା ବୃଦ୍ଧି କେବଳ ବିଜେପି ଦଳର ପ୍ରଚାର ସର୍ବସ୍ୱ ।

ଅପର ପକ୍ଷରେ ବିଜେଡ଼ି ସରକାରର ଏହି ସମୟରେ ୧୧ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ । ୪୦ଲକ୍ଷ ଚାଷୀ ଘରର ଭେଣ୍ଡିଆ ଯୁବକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଓଡ଼ିଶାରେ ଚାଷୀର ଆୟ ଜାତୀୟ ସ୍ତରଠାରୁ ୩୫ ନମ୍ବର ପଛରେ । ଗରିବରେ ଓଡ଼ିଶା ଏକ ନମ୍ବର । ଜଳସେଚନ କ୍ଷେତ୍ରରେ ଏକ ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଠି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ପ୍ରଚାର ସର୍ବସ୍ୱ । ଚାଷୀ ଅଭାବି ବିକ୍ରି, ଫସଲ ହାନୀ ଓ ଋଣ ଭାରରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ସରକାର କୃଷି କ୍ୟାବିନେଟ, କୃଷକ କମିଶନ, ସ୍ୱତନ୍ତ୍ର କୃଷି ପ୍ୟାକେଜ, ସ୍ୱତନ୍ତ୍ର କୃଷିନୀତି, ଓ ସ୍ୱତନ୍ତ୍ର କୃଷି ବଜେଟ୍, ଆଳୁ ମିଶନ ଭଳି ଅନେକ ଯୋଜନା କାହା ସ୍ୱାର୍ଥରେ ଗଠନ କରିଛନ୍ତି । ଭାଗଚାଷୀଙ୍କ ସମସ୍ୟା ସମାଧାନ କରାଯାଇ ନାହଁ କାହିଁକି? ବିଜେଡ଼ି ସରକାର ଓଡ଼ିଆ ଲୋକଙ୍କୁ କୋଢ଼ିଆ କରିବା ସହିତ ସେମାନଙ୍କୁ ଯୋତା, ଛତା, କମଳ, ମୋବାଇଲ ଦେଇ ଭୋଟ ପାଇଁ କେବଳ ମାତାଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଧାନ କ୍ୱିଣ୍ଟାଲ ପିଚ୍ଛା ଚାଷୀଙ୍କୁ ୧୦୦ଟଙ୍କା ଅତିରିକ୍ତ ସହାୟତା ଦେବା କଥା ଗଲା କୁଆଡ଼େ? ତିତିଲି ସହାୟତା ଆଜି ପର୍ଯ୍ୟନ୍ତ ଚାଷୀ ପାଇଲେ ନାହିଁ କାହିଁକି? ପୁନଶ୍ଚ ବର୍ତ୍ତମାନ ସାମୁଦ୍ରିକ ଝଡ଼ ପେତେଇ ଦ୍ୱାରା ଚାଷୀର କ୍ଷେତରେ ଓ ଖଳାରେ ଧାନ ନଷ୍ଟ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଭୋଟ ପ୍ରଚାର ପାଇଁ ସୁରତରେ ଉତ୍ସବ ମନାଉଛନ୍ତି ।

ନିର୍ବାଚନକୁ ଆଖି ଆଗରେ ରଖି କେବଳ ବର୍ତମାନ ଧାନର ଏମଏସ୍ପି ବୃଦ୍ଧି ନେଇ ବିଜେଡ଼ି ଦଳ ସାଂସଦ ଘେରାଉ କରିବା ଏକ ନାଟକବାଜୀ ବୋଲି କିଷାନ କଂଗ୍ରେସ ଅଭିଯୋଗ କରିଛି । ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଚାଷୀଙ୍କୁ ଭୁଆଁ ବୁଲାଇବାକୁ ଏହା ଏକ ମସୁଧା ବୋଲି କୁହାଯାଇଛି । କଂଗ୍ରେସ ଦଳ ଓ ସରକାର କହେ ଯାହା କରେ ତାହା । ଯାହାର ଉଦାହରଣ ୨୦୦୮ରେ ୟୁପିଏ ସରକାର ଦେଶର ୫କୋଟି ଚାଷୀଙ୍କଠାରୁ ୭୨ହଜାର ୬୮୦କୋଟି ଟଙ୍କା ଋଣ ଛାଡ଼ କରିବା ଦ୍ୱାରା ଓଡ଼ିଶାର ୨୫ ଲକ୍ଷ ଚାଷୀ ଋଣ ଛାଡ଼ର ସୁବିଧା ପାଇ ପାରିଥିଲେ । କଂଗ୍ରେସ ଦଳ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କଲେ ଋଣ ଛାଡ଼ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ । ସାରା ରାଜ୍ୟରେ ଏବେ ଧାନ ମଣ୍ଡି ଖୋଲିବା ଏକ ପ୍ରହସନରେ ପରିଣତ ହୋଇଛି । ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି । ବିଭିନ୍ନ ଆଳରେ ଚାଷୀଙ୍କଠାରୁ ବସ୍ତା ପିଚ୍ଛା ୫ରୁ ୭ କେଜି କଟଣି ଛଟଣି କରାଯାଉଛି । ସରକାର ଓ ପ୍ରଶାସନର ବେପରୁଆ ମନବୃତି ଓ ମିଲର ଓ ବେପାରୀଙ୍କ ଦୌରାତ୍ମାରେ ଚାଷୀ ଅଭାବି ବିକ୍ରିର ଶିକାର । ଚାଷୀର ଏପରି ଦୁଃସ୍ଥିତି ସମୟରେ ଉଭୟ ସରକାର କେବଳ ନାଟକବାଜୀ ଚଲାଇଛନ୍ତି । ବିଜେପି ବିଜେଡ଼ି ସରକାରର ଚାଷୀ ମାରଣ ନୀତିକୁ ପ୍ରତିବାଦ କରି ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ଚାଷୀମାନଙ୍କ କୃଷି ଋଣ ଛାଡ଼ କରାଯିବା ସହିତ କୃଷି ଓ କୃଷକଙ୍କ ବିକାଶ ପାଇଁ କୃଷି କ୍ଷେତ୍ରରେ ବହୁମୁଖୀ ଦୀର୍ଘସ୍ଥାୟୀ ଯୋଜନା ପ୍ରଣୟନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ଦୀପକ ମହାପାତ୍ର, ନିହାର ରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top