Feature

ଚାନ୍ଦା ମାଗିଲେ ସତରେ କିଏ ବନ୍ଧା ହେଉଛି !

– ସଚ୍ଚିକାନ୍ତ ନାଥ 

ଏଥର ଚାନ୍ଦା ପାଇଁ ଜୁଲମ୍‌ କଲେ କାହାରିକୁ ଛଡ଼ାଯିବ ନାହିଁ। ଅଭିଯୋଗ କଲେ ନିଶ୍ଚୟ ବନ୍ଧା ହେବେ- ପୂଜା ପୂର୍ବରୁ ପୁଲିସ ବଡ଼ବାବୁ କହିଲେ।
ଶୁଣିକି ହସ ଲାଗିଥିଲା। ଭାବିଥିଲି-କାହିଁକି ଏ ସବୁ ଘୋଷଣା? ସତରେ କ’ଣ କେହି ଚାନ୍ଦା ଜୁଲମକାରୀଙ୍କ ବିରୋଧରେ ଅଭିଯୋଗ କରିବେ? ଯିଏ ଅଭିଯୋଗ କରିବ, ତାକୁ ସୁରକ୍ଷା ଦେବ କିଏ? ତା’ଛଡ଼ା, ପୁଲିସ କ’ଣ ଜାଣିନି କେଉଁଠି ଓ କେଉଁ ଢ଼ଙ୍ଗରେ ଚାନ୍ଦା(ବରଂ ବଟି) ଆଦାୟ ହୁଏ? ଏମିତି ଅନେକ ପ୍ରଶ୍ନ ମନକୁ ଆସିଥିଲା।  ଆଜି ଖବରକାଗଜରୁ ଜାଣିଲି ଏଥର ପୂଜାରେ ୧୭୦କୋଟି ଟଙ୍କା ଖର୍ଚ ହେଉଛି। ଖାଲି ଦୈତନଗରୀରେ ୫୦କୋଟିର ବଜେଟ୍।  ତା’ହେଲେ କ’ଣ ଦୈତନଗରୀ ଲୋକ ୫୦କୋଟି ଟଙ୍କା ଖୁସିରେ ଦାନ କରିଦେଲେ? କୋଉଠି ବି ଚାନ୍ଦା ପାଇଁ ଜୁଲମ ହେଲାନି? ଯଦି ହୋଇନି, ତେବେ ତ’ ସତରେ ଦୁର୍ଗା ମା’ଙ୍କ ଭକ୍ତଙ୍କ ସଂଖ୍ୟା ଢ଼େର୍ ଅଧିକ ହୋଇଯାଇଛି। ଲୋକଙ୍କ ରୋଜଗାର ଓ ଦାନ-ଧର୍ମ କରିବାର ଇଚ୍ଛା ବି ବଢ଼ି ଯାଇଛି। ହେଲେ, ସହରରେ ରହିବାର (ବାହାରୁ ଆସି ଘର କରି ରହିବା) ଅଭିଜ୍ଞତା ଯେଉଁମାନଙ୍କର ଅଛି ସେମାାନେ ବେଶ୍ ଭଲ ଭାବେ ଏଠାକାର ଚାନ୍ଦା ଜୁଲମ୍ ବିଷୟରେ ଜାଣିଥିବେ।

ସହର‌ର‌େ ଏମିତି କୌଣସି ଅଞ୍ଚଳ ସମ୍ପର୍କରେ କେହି କହିପାରିବ କି, ଯେଉଁଠାରେ ଘର କରିଲେ, ଦୋକାନ କରିଲେ ଅଥବା ଡାକ୍ତର ହୋଇଥିଲେ କ୍ଲିନିକ୍/ନର୍ସିଂ ହୋମ୍ ଖୋଲିଲେ ଚାନ୍ଦା(ବରଂ ବଟି) ଦେବାକୁ ପଡ଼େ ନାହିଁ?  ଯଦି ଜାଣିଥିବେ, ସୂଚନା ଦେଲେ ଅନେକ ଲୋକ ଉପକୃତ ହୋଇପାରନ୍ତେ।  ଘର କରିଲେ ବର୍ଗଫୁଟ୍ ହିସାବରେ ପଣି, ସାହିରେ ଚାନ୍ଦି ମେଢ଼/ସୁନା ମୁକୁଟ ହେଲେ କିଲୋ ଓଜନରେ ରୂପା ଓ ଭରି ଓଜନରେ ସୁନା, କ୍ଲିନିକ୍‌-ନର୍ସିଂ ହୋମ୍‌ ଖୋଲିଲେ ‘ବେଡ୍’ ସଂଖ୍ୟା ମୁତାବକ ବଟି..ଇତ୍ୟାଦି..ଇତ୍ୟାଦି… ପ୍ରତିବାଦ କରିବାର ପ୍ରଶ୍ନ ହିଁ ଉଠେନି। ସରକାରୀ ଟିକସ ଦେବା ଭଳି ବେଶ୍ ସହଜରେ ଏହି ଅଘୋଷିତ ଟିକସ ଦେବାକୁ ପଡ଼ିଥାଏ। ସେ ଟଙ୍କା କୁଆଡ଼େ ଯାଏ ଓ କେମିତି ଖର୍ଚ ହୁଏ ସେକଥା ଜାଣିବାର ହକ୍‌ ଚାନ୍ଦା ଆଦାୟ କରୁଥିବା ହାତଗଣତି କେତେଜଣଙ୍କୁ ଛାଡ଼ି ଆଉ କାହାର ନ ଥାଏ ବୋଲି ସମସ୍ତଙ୍କୁ ଜଣା। ସତରେ କ’ଣ ପୁଲିସ ଏ ସମ୍ପର୍କରେ କିଛି ଜାଣିନି? ଅନ୍ୟମାନଙ୍କ କଥା ତ’ ଭିନ୍ନ, ଖୋଦ୍ ପୁଲିସ ବିଭାଗର ତଳସ୍ତରିଆ କର୍ମଚାରୀ/ଅଧିକାରୀ ବି ଅନେକ ସମୟରେ ଏଭଳି ଚାନ୍ଦା ଜୁଲମର ଶିକାର। ହେଲେ, ମୁହଁ ଖୋଲିବାକୁ କାହାର ଯୁ’ ନଥାଏ। ମା’ଙ୍କ ପୂଜା ନାଁରେ ପ୍ରତିବର୍ଷ ଯେମିତି କିଛି ଲୋକ ତଥାକଥିତ ଚାନ୍ଦାର ଶିକାର ହେଉଥିଲେ ଏଥର ବି ହୋଇଥିବେ। ୫୦କୋଟିର ବଜେଟ୍‌ ଯେ ଏଥିରେ ସାମିଲ ନୁହେଁ ତାହା ଅସମ୍ଭବ ନୁହେଁ। ଆଗରୁ ସହି ଆସୁଥିବା ଅନେକ ଲୋକ ଏଥର ପୂଜାରେ ଶିକାର ହୋଇଥିବେ, ଆଗକୁ ବି ହେବେ। ଚାନ୍ଦା ମାଗିଲେ ବନ୍ଧା ହେବେ’ ଖାଲି ଯାହା ଶୁଣିବାକୁ ଭଲ ଲାଗୁଥିବ।

(ଲେଖକ କଟକରେ କାର୍ଯ୍ୟରତ ଜଣେ ବରିଷ୍ଠ ସାମ୍ବାଦିକ)

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top