State

ଗଂଜାମ, ଗଜପତି ଓ ରାୟଗଡାର ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟାୟକ ଆଜି ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଗଂଜାମ, ଗଜପତି ଓ ରାୟଗଡାର ଜିଲ୍ଲାପାଳ ମାନଙ୍କ ସହିତ ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ପରବର୍ତୀ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ, ୩ ଟି ଯାକ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି । ଆଲୋଚନା ସମୟରେ ପରିସ୍ଥିତି ଉପରେ ନଜର ରଖିବା ସହିତ ବନ୍ୟା ଯୋଗୁ ବିଭିନ୍ନ ନଦୀରେ ଆସିଥିବା ଘାଇ ଗୁଡିକୁ ତୁରନ୍ତ ମରାମତି କରିବା, କ୍ଷତିଗ୍ରସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇ ରନ୍ଧା ଖାଦ୍ୟ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କ୍ଷତିଗ୍ରସ୍ତ ଅଂଚଳରେ ହେଲ୍ଥ କ୍ୟାମ୍ପ ଓ ପଶୁଚିକିତ୍ସା କ୍ୟାମ୍ପ କରି ଚିକିତ୍ସା ସେବା ଓ ମାଗଣା ଔଷଧ ଯୋଗାଇ ଦେବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଡକ ଯୋଗାଯୋଗ ଓ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବା ପାଇଁ ଯଦ୍ଧକାଳୀନ ଭିତିରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଘର, ଫସଲ, ପଶୁ ସମ୍ପଦ ଓ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ୭ ଦିନ ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଲୋଚନାରୁ ଜଣା ଯାଇଛି ଯେ ତିତଲି ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଜି. ଉଦୟଗିରି ଓ କଂଟାପଡା ବ୍ଲକରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେଉଥିବା ସୂଚନା ମିଳିଛି । ଆସ୍କା ଓ ପୁରୁଷୋତମପୁର ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବର୍ତମାନ ସୁଦ୍ଧା ୧୪ଟି ଏନଡିଆରଏଫ ଓ ୧୨ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି ।

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ତଥା ରିଲିଫ ବଂଟନ ପାଇଁ ୨ଟି ହେଲିକେପ୍ଟର ମଗା ଯାଇଛି । ଆସନ୍ତା ୨-୩ ଦିନ ମଧ୍ୟରେ ସବୁ ସ୍ଥାନରେ ବିଜୁଳି ସରବରାହ ପୁନଃସ୍ଥାପିତ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଯୁଦ୍ଧକାଳୀନ ଭିତିରେ ଗଛ କଟାଯାଇ ରାସ୍ତା ଅବରୋଧ ଦୂର କରାଯାଉଛି । ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟ କରାଯାଇଛି । ଗୁଣୁପୁରରେ ୧୧୦ କିଲୋମିଟର ବେଗରେ ପବନ ବୋହୁଥିବା ବେଳେ ୮ ଜଣ ବଂଜାରା ଲୋକଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଗୋପାଳପୁରରେ ଆନ୍ଧ୍ରପ୍ରଦେଶର ୩୦ଟି ବୋଟ୍ରେ ଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଗର୍ଭବତୀ ମହିଳା ଓ ନବଜାତ ଶିଶୁ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ସେମାନଙ୍କୁ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଏବଂ ପାଣିପାଗ ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top