National International

କୋଲକାତାରେ ଖୋଲିଲା କିସ୍‍ର ଶାଖା

କୋଲକାତାରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ)ର ଏକ ଶାଖା ରବିବାର ଖୋଲିଛି । କିସ୍‍ ଏବଂ କୋଲ୍‍କାତାର ଏକ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହେଲ୍‍ପ ଅସ୍‍, ହେଲ୍‍ପ ଦେମ୍‍’ (ଏଚ୍‍ୟୁଏଚ୍‍ଟି) ମିଳିତ ସହଯୋଗରେ ଖୋଲିବାକୁ ଯାଉଥିବା ଏହି ଶାଖାର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଯାଇଛି । ଆଇଆଇଏମ୍‍ ଜୋକା ନିକଟରେ ୫ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ଏହି ଆବାସିକ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷଠାରୁ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏଠାରେ ଏକ ହଜାର ଗରିବ ଓ ଅବହେଳିତ ପିଲାଙ୍କୁ ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯିବ । ହେଲ୍‍ପ ଅସ୍‍, ହେଲ୍‍ପ ଦେମ୍‍ର ମୁଖ୍ୟ ମୁକ୍ତି ଗୁପ୍ତା କିସ୍‍-ଭୁବନେଶ୍ୱର ପରିଦର୍ଶନ ସମୟରେ କିସ୍‍ ଦେଖି ବିମୋହିତ ହୋଇଥିଲେ । କିସ୍‍ ଢ଼ାଞ୍ଚାରେ ଏକ ଆବାସିକ ବିଦ୍ୟାଳୟ କୋଲ୍‍କାତାରେ ଖୋଲିବାକୁ ସେ ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ଆଇଆଇଏମ୍‍ ଜୋକା ନିକଟରେ ୫ ଏକର ଜମି କିଣିଥିଲେ । ସେ ଗରିବ ଓ ଅବହେଳିତ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ସର୍ବଦା ପ୍ରୋତ୍ସାହିତ କରିଆସୁଛନ୍ତି । ଗତ ୬ ମାସ ଭିତରେ ମୁକ୍ତି ଗୁପ୍ତା କୋଲ୍‍କାତାରେ ଦୁଇଟି ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତଙ୍କ ଉପସ୍ଥିତିରେ ସେ ଶ୍ରୀ ସାମନ୍ତଙ୍କ ବିଭିନ୍ନ କାର୍ଯ୍ୟଧାରା ସଂପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଏଥିରେ ଅନୁପ୍ରାଣୀତ ହୋଇ ପ୍ରଥମ ପର୍ଯ୍ୟାୟରେ ଗୋଟିଏ କର୍ପୋରେଟ୍‍ ସେକ୍ଟର ୧୫ କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଏକ କର୍ପୋରେଟ୍‍ ସେକ୍ଟର ୧୦ କୋଟି ଟଙ୍କା ଦାନ କରିଥିଲେ । ଏହି ଆର୍ଥିକ ସହାୟତାରେ ରୋଟାରୀ କ୍ଲବ୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶିକ୍ଷା ମାଧ୍ୟମରେ ସମାଜର ଗରିବ ଓ ଅବହେଳିତ ଶିଶୁମାନଙ୍କୁ ସଶକ୍ତ କରିବାରେ କିସ୍‍ ଏକ ସ୍ୱୟଂ ସଂପୂର୍ଣର୍ ସଫଳ ମଡେଲ ହୋଇଥିବାରୁ ଏହି ମଡେଲକୁ ବିଭିନ୍ନ ରାଜ୍ୟ ଆପଣାଇବାକୁ ଆଗ୍ରହ ପ୍ରକାଶ କରିଆସୁଛନ୍ତି । ଓଡ଼ିଶାର ସମସ୍ତ ଜିଲ୍ଲା ଓ ଦେଶର ସମସ୍ତ ରାଜ୍ୟ ଏବଂ ବିଭିନ୍ନ ଦେଶରେ କିସ୍‍ର ଶାଖା ଖୋଲିବା ପାଇଁ ଶ୍ରୀ ସାମନ୍ତ ଉଦ୍ୟମ ଜାରି ରଖିଛନ୍ତି । କୋଲକାତାରେ କିସ୍‍ର ଶାଖା ଖୋଲୁଥିବାରୁ ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପଶ୍ଚିମବଙ୍ଗର ଗରିବ ଓ ଅବହେଳିତ ପିଲାମାନେ କିସ୍‍ ଶାଖାରେ ପଢ଼ିବାର ସୁଯୋଗ ପାଇବେ । ଶ୍ରୀ ସାମନ୍ତଙ୍କ ଅନୁପ୍ରେରଣାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଉଛି ବୋଲି ‘ହେଲ୍‍ପ ଅସ୍‍, ହେଲ୍‍ପ ଦେମ୍‍’ର ମୁଖ୍ୟ ମୁକ୍ତି ଗୁପ୍ତା କହିଛନ୍ତି । କାର୍ଯ୍ୟକ୍ରମରେ ଶିଳ୍ପପତି ଶ୍ୟାମ ସୁନ୍ଦର ଅଗ୍ରୱାଲ୍‍, ମହାବୀର ସେବାସମିତିର ସଭାପତି ଜେ. ଏସ୍‍ ମେହେଟ୍ଟା, ଶିଳ୍ପପତି ଆର କେ ଗୁପ୍ତା, ଭାରତ ବିକାଶ ମଞ୍ଚର ସଭାପତି ମନୋଜ କୁମାର ଖଟୁଆ, କୋଲକାତା କଳିଙ୍ଗ କ୍ରିକେଟ ଆସୋସିଏସନ୍‍ର ସଂପାଦକ ପ୍ରଶାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top