Rural Odisha

କାହିଁକି ଯଶୋଦା ହାତୀ ନେଲା ମଣିଷ ଜୀବନ?

ତାଲିମ ପ୍ରାପ୍ତ ପୋଷା ହାତୀ ଯଶୋଦା କାହିଁ ନେଲା ମଣିଷ ଜୀବନ? ସାଧାରଣତଃ ଶାନ୍ତ ପ୍ରକୃତିର ଏହି ହାତୀ ହଠାତ କାହିଁକି ହୋଇପଡିଲା ଉତକ୍ଷିପ୍ତ? ନରହନ୍ତା ବାଘୁଣୀକୁ କବ୍ଜା କରିବାକୁ ଆସିଥିବା ଯଶୋଦା କାହିଁକି ହୋଇଛି ଆତଙ୍କର କାରଣ? ଏ ପ୍ରଶ୍ନ ଏବେ ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି ।

ଯଶୋଦାକୁ ନଭେମ୍ବର ମାସ ୪ ତାରିଖରେ ସାମିଲ କରାଯାଇଥିଲା । ବାଘୁଣି ସୁନ୍ଦରୀ ଅପରେସନରେ କୁମକି ହାତୀ ଉପରେ ବସି ଟ୍ରାଙ୍କୁଲାଇଜ ବିଶେଷଜ୍ଞ ବାଘୁଣୀର ନିକଟତର ହୋଇଥିଲେ । ବାଘୁଣୀ ସୁନ୍ଦରୀ ଓ ହାତୀ ଯଶୋଦା ସାତକୋଶିଆ ଜଙ୍ଗଲରେ ମୁଁହାମୁହିଁ ମଧ୍ୟ ହୋଇଥିଲେ । ସେହି ସ୍ଥିତିରେ ହାତୀ ଉପରୁ ଟ୍ରାଙ୍କୁଲାଇଜର ବିଶେଷଜ୍ଞ ମାନେ ଟ୍ରାଙ୍କୁଲାଇଜ ଡାର୍ଟ ନିକ୍ଷେପ ମଧ୍ୟ କରିଥିଲେ । ଏବଂ ତାହା ଲକ୍ଷଚ୍ୟୁତ ହୋଇ ହେଲା ଫଳରେ ବାଘୁଣୀ ଜଙ୍ଗଲ ଭିତରକୁ ପଳାଇଥିଲା । ଅପରାହ୍ନ ପାଖାପାଖି ୨ ରୁ ୪ ଟା ମଧ୍ୟରେ ବାଘୁଣୀ ସୁନ୍ଦରୀ ପୁରୁଣାକୋର୍ଟ ରେଞ୍ଜ ଅଣାଖାଲି ଏବଂ ହଳଦୀଖୋଲ ଇଲାକାରେ ଥିବାର ସୂଚନା ବନ ବିଭାଗ ଦେଇଥିଲା । ବିଶେଷଜ୍ଞ ଦଳ ହାତୀ ଯଶୋଦା ପିଠିରେ ବସି ବାଘୁଣୀ ପାଖକୁ ଯାଇଥିଲେ । ୪ ଥର ସୁନ୍ଦରୀ ଓ ଯଶୋଦା ମୁହାଁମୁହିଁ ହୋଇଥିଲେ । କିନ୍ତୁ ବିଶେଷଜ୍ଞଙ୍କ ଟ୍ରାଙ୍କୁଲାଇଜ ଡାର୍ଟ ସୁନ୍ଦରୀ ଦେହରେ ବାଜିନଥିଲା । ଏବଂ ସୁନ୍ଦରୀ ଘଟଣାସ୍ଥଳରୁ ଖସି ପଳାଇଥିଲା । ଶେଷରେ ୬ ତାରିଖ ଦିନ ବାଘୁଣୀକୁ କାବୁ କରିବା ପାଇଁ ଯଶୋଦାକୁ ସେହି ଅଂଚଳକୁ ନିଆ ଯାଇଥିଲା । ଏବଂ ହାତୀ ଓ ଗାଡି ସାହାଯ୍ୟରେ ବାଘୁଣୀକୁ ଟାର୍ଗେଟ କରାଯାଇଥିଲା । ଦିନ ପ୍ରାୟ ୧୦.୪୫ ରେ ବାଘୁଣୀକୁ ଡାକ୍ତର ଶରତ କୁମାର ସାହୁ ଡାର୍ଟ ନିକ୍ଷେପ କରି ବାଘୁଣୀକୁ କବ୍ଚା କରାଯାଇଥିଲା ।

ସୁନ୍ଦରୀ ଅପରେସନ ପରେ ଯଶୋଦାକୁ ଆଣି ପୁରୁଣାକୋର୍ଟ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂର ନାଳ ପାଖରେ ଏକ ବାଉଁ ବୁଦାରେ ବନ୍ଧା ଯାଇଥିଲା । ଉକ୍ତ ସ୍ଥାନରେ ହାତୀକୁ ଖାଇବା ପାଇଁ ମଧ୍ୟ ଦିଆ ଯାଇଥିଲା । ପୁରୁଣାକୋଟ ମାଟିଆ ସାହିର ସୁଦର୍ଶନ ପ୍ରଧାନ ମାଛ ଧରିବା ପାଇଁ ହାତୀ ବନ୍ଧା ହୋଇଥିବା ନାଳରେ ଜାଲ ବସାଇଥିଲେ । ମଧ୍ୟାହ୍ନ ସମୟରେ ଶ୍ରୀ ପ୍ରଧାନ ନାଳରେ ପକାଇଥିବା ଜାଲକୁ ଖୋଲିବା ପାଇଁ ଯାଇଥିଲେ ପାଖରେ ହାତୀ ବନ୍ଧା ହୋଇଥିବାରୁ ହାତୀକୁ ଖାଦ୍ୟ ରୁପେ ଦେବାପାଇଁ ସାଥିରେ ଏକ କଦଳୀ ଗଛ ନେଇଥିଲେ । ବନ୍ଧା ଯାଇଥିବା ଯଶୋଦାକୁ ସେ କଦଳୀ ଗଛ ଖାଇବାକୁ ଦେଲାବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଭିଡିନେଇ କଚାଡି କଚାଡି ମାରିବା ସହିତ ପାଦରେ ଦଳି ଦେଇଥିଲା । ଏହା ଦ୍ୱାରା ଘଟଣାସ୍ଥଳରେ ହିଁ ସୁଦର୍ଶନଙ୍କ ପ୍ରାଣବାୟୁ ଉଡିଯାଇଥିଲା ।
ପୁର୍ବରୁ କେବେ ବାଘ ସଂସ୍ପର୍ଶରେ ଆସିନଥିବା ହାତୀ ଯଶୋଦା ସୁନ୍ଦରୀକୁ ଦେଖି ଭୟଭୀତ ହୋଇପଡିଛି କି? ମଣିଷଖିଆ ବାଘୁଣୀକୁ ଦେଖିବା ପରେ ବିଗିଡି ଯାଇଛି କି ଯଶୋଦାର ମାନସିକ ସ୍ଥିତି ? ଏଭଳି ଆଶଙ୍କା ଏବେ ସମସ୍ତଙ୍କ ମନରେ । ବନ ବିଭାଗ ବି ଏଭଳି କିଛି ସନ୍ଦେହ କରୁଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଡିଏଫ୍ଓ ଗଜେନ୍ଦ୍ର ବେହେରା କହିଛନ୍ତି ଘଟଣାର ତଦନ୍ତ ପରେ ସତ ଜଣାପଡିବ ।

ଫୋଟୋ: ଫାଇଲ

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top