State

ଓଡିଶା ପାର୍ବଣର ଦୁଃଖ: ଅକ୍ଟୋବର

କପିଳାସ କୁମାର ବେହେରାଙ୍କ ରିପୋର୍ଟ

ପ୍ରତିବର୍ଷ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଛୋଟବଡ ବାତ୍ୟା ସୃଷ୍ଟି ହେଉଛି । ଯାହା ଫଳରେ ପାର୍ବଣ ଫିକା ପଡୁଛି । ୧୯୯୯ ମସିହା ଅକ୍ଟୋବର ମାସ ମହାବାତ୍ୟା ହେଉ କିମ୍ବା ୨୦୧୪ ମସିହା ଅକ୍ଟୋବର ମାସର ହୁଡହୁଡ । ଓଡିଶାବାସୀଙ୍କ ପାଇଁ ଏଭଳି ବାତ୍ୟା କାହାଣୀ ପାର୍ବଣର ଦୁଃଖ ବୟାନ କରୁଛି ।
ଆକ୍ଟୋବର ମାସରେ ହୋଇଥିବା ବାତ୍ୟାର ଇତିହାସ ପୃଷ୍ଠାକୁ ଓଲୋଟାଇ ଦେଖିଲେ ଜଣାଯାଏ ୧୭୩୭ ମସିହା ଅକ୍ଟୋବର ୭ ରୁ ୧୨ ତାରିଖରେ ହୋଇଥିଲା ମହାବାତ୍ୟା । ୧୮୩୧ ମସିହା ଅକ୍ଟୋବର ୩୧ ତାରିଖରେ ମଧ୍ୟ ବାତ୍ୟା ହୋଇଥିଲା ଓଡିଶାରେ । ପୁଣି ୧୮୬୪ ମସିହା ଅକ୍ଟୋବର ମାସ ୨ ରୁ ୫ ତାରିଖ ମଧ୍ୟରେ ଓଡିଶାରେ ହୋଇଥିଲା ବାତ୍ୟା ।

ସ୍ୱାଧିନତା ପୂର୍ବର ଇତିହାସରେ ମଧ୍ୟ ଓଡିଶା ସମାନ କାହାଣି କହେ । ୧୯୪୨ ମସିହା ଅକ୍ଟୋବର ୧୪ ରୁ ୧୬ ତାରିଖରେ ଓଡିଶାରେ ହୋଇଥିଲା ବାତ୍ୟା । ୧୯୬୭ ମସିହା ଅକ୍ଟୋବର ୮ ରୁ ୧୧ ତାରିଖ ମଧ୍ୟରେ ଓଡିଶାରେ ବାତ୍ୟା ମାଡ ହୋଇଥିଲା । 

୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ଏହି ବାତ୍ୟା ୨୫ ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡିଶାକୁ ଜାଲରେ ଛନ୍ଦି ରଖିଥିଲା । ଏହି ମହାବାତ୍ୟାର କୌଣସି ନାମକରଣ ହୋଇନଥିଲା । ୧୯୯୯ ମସିହାର ମହାବାତ୍ୟାର ପବନର ବେଗ ଥିଲା ଘଂଟା ପ୍ରତି ୨୬୦ କିଲୋମିଟର । ୨୦୧୩ ମସିହା ଅକ୍ଟୋବର ମାସ ୧୨ ରୁ ୧୫ ତାରିଖରେ ଓଡିଶାରେ ମାଡ କରିଥିଲା ବାତ୍ୟା ଫାଇଲିନ । ଫାଇଲିନରେ ପବନର ବେଗ ଥିଲା ଘଂଟା ପ୍ରତି ୨୦୦ କିଲୋମିଟର । ଏବଂ ୨୦୧୪ ଅକ୍ଟୋବର ୧୩ ତାରିଖରେ ଓଡିଶାରେ ମାଡ କରିଥିଲା ହୁଡହୁଡ । ହୁଡହୁଡରେ ପବନର ବେଗଥିଲା ୧୮୫ କିଲୋମିଟର ।

ନୂଆଦିଲ୍ଲୀ ସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା କିଛି ଘଂଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବାର ଆଶଙ୍କା ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ । ଗୋପାଳପୁରରୁ ୫୧୦ କିଲୋମିଟର ଦୂରରେ ରହିଛି ଅବପାତ । ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି । ଯେଉଁମାନେ ଯାଇଛନ୍ତି, ତୁରନ୍ତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ବାତ୍ୟାର ଘନତ୍ୱ କେତେ ତାହା ଏବେ ଯାଏଁ ସୃଷ୍ଟି ହୋଇନି । ଏହାର ପ୍ରଭାବରେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଓଡିଶାର ଉପକୂଳବର୍ତ୍ତୀ ଅଂଚଳ ଓ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିବା ସହିତ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । 

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top