State

ଉଜ୍ୱଳା ଯୋଜନାରେ ବ୍ୟାପକ ପିସି କାରବାର ହେଉଛି: କଂଗ୍ରେସ

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ବାହାସ୍ପୋଟ ମାରୁଥିବାବେଳେ, ଏ ଯୋଜନାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ ଉଜ୍ୱଳା ଯୋଜନାରେ ହେଉଥିବା ଘୋଟାଲାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଘେରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଆରମ୍ଭ ହେବା ପୂର୍ବରୁ ଦେଶରେ ରାଜୀବ ଗାନ୍ଧୀ ଗ୍ରାମୀଣ ଏଲପିଜି ବିତରଣ ଯୋଜନାରେ ୧,୬୨,୩୮,୦୬୯ ବିପିଏଲ ପରିବାରକୁ ରନ୍ଧନଗ୍ୟାସ ଯୋଗାଇ ଦିଆଯାଇଥିଲା । ୧ ମେ ୨୦୧୬ରେ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାର ଶୁଭାରମ୍ଭ କରି ଦେଶର ୫କୋଟି ବିପିଏଲ ପରିବାରଙ୍କୁ ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇ ଦେବାକୁ ଯେଉଁ ଘୋଷଣା କରିଥିଲେ ତାହା ସଂପୂର୍ଣ୍ଣ ଭାବରେ ଫେଲମାରିଛି । ମାଗଣା ଗ୍ୟାସ ସଂଯୋଗ ନାରେ ଗ୍ୟାସ କନେକସନ୍ ପାଇଁ ୧୬୦୦ ଟଙ୍କା ହିତାଧିକାରୀଙ୍କୁ ଦେବାକୁ ପଡ଼ିଲା ଓ ଏଥିରେ ଗ୍ୟାସ ସମେତ ଚୁଲା, ପାଇପ୍ ଓ ରେଗୁଲେଟରକୁ ମଧ୍ୟ ଯୋଗ କରିଦିଆଗଲା । ସରକାର ୫ଶହ ଟଙ୍କାର ରନ୍ଧନଗ୍ୟାସ ଚୁଲାକୁ ୯୯୦ ଟଙ୍କାରେ ବିକ୍ରୟ କରି ଗରୀବ ହିତାଧିକାରୀଙ୍କୁ ଲୁଟୁଛନ୍ତି ।

ଏ ହରିଲୁଟରେ ସାମିଲ୍ ହୋଇ କେନ୍ଦ୍ର ସରକାର ଚୁଲା ତିଆରି କରୁଥିବା କମ୍ପାନୀମାନଙ୍କ ପାଖରୁ ବିନା ଟେଣ୍ଡରରେ ବ୍ୟାପକ ପିସି ଆଦାୟ କରିଛନ୍ତି । ଏବେ ଏହି ଯୋଜନା ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଗ୍ୟାସର ବଜାର ଦର ବିଗତ ତିନି ବର୍ଷରେ ପାଖାପାଖି ତିନିଗୁଣ ବୃଦ୍ଧି ପାଇବା ସହିତ ଘରୋଇ ରନ୍ଧନ ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ ଆଥିର୍କ ବୋଝ ସଦୃଶ ଏବଂ ଗ୍ୟାସ ଯୋଗାଣ କରୁଥିବା କମ୍ପାନୀ ମାନଙ୍କର ଲାଭାଂଶ କେତେ ପ୍ରତିଶତ ବଡ଼ିଛି ବିଭାଗୀୟ ମନ୍ତ୍ରୀ ତାହାର ଉତର ଜନସାଧାରଣଙ୍କ ପାଖରେ ରଖନ୍ତୁ । ସବୁଠୁ ଆଶ୍ଚର୍ଯ୍ୟର ଘଟଣା ହେଉଛି ଯେଉଁମାନଙ୍କୁ ନୂଆକରି ଗ୍ୟାସ୍ କନେକସନ୍ ଦିଆଯାଇଛି ସେମାନେ ବର୍ଷକରେ ମାତ୍ର ଥରେ କିମ୍ବା ଦୁଇଥର ଗ୍ୟାସ ରିଫିଲିଂ କରିଛନ୍ତି ଓ ଏଠି ପ୍ରଶ୍ନ ଉଠୁଛି ବଳକା ଗ୍ୟାସ ଗଲାକୁଆଡ଼େ? ସରକାରୀ ହିସାବ ଅନୁସାରେ ଦେଶରେ ଗ୍ୟାସ କନେକସନ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ହେବାଠାରୁ ବର୍ଷକୁ ହାରାହାରୀ ୧୬.୨୬ ପ୍ରତିଶତ ବଢ଼ିଥିବା ବେଳେ ସିିଲିଣ୍ଡର ତିଆରି ମାତ୍ର ୯% ବୃଦ୍ଧିପାଇଛି । ତେବେ ଏହି ଗ୍ୟାସ କନେକସନ କେଉଁବାଟରେ ବ୍ୟବହାର କରାଯାଉଛି । ସିଏଜି ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଆରମ୍ଭ ହେବା ପୂର୍ବରୁ ବାର୍ଷିକ ଗ୍ୟାସ ସଂଯୋଗ ୬.୨୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପରବର୍ତୀ ଅବସ୍ଥାରେ ଏହା ୫.୬ ପ୍ରତିଶତକୁ ଖସି ଆସିଛି । ଖାଉଟିଙ୍କ ସଂଖ୍ୟା ୨୦୧୫-୧୬ ଏବଂ ୨୦୧୬-୧୭ରେ ୧୬.୯ ପ୍ରତିଶତ ବଢ଼ିଥିବା ବେଳେ ଗ୍ୟାସ ବ୍ୟବହାରୀଙ୍କ ସଂଖ୍ୟା ମାତ୍ର ୦.୮ ପ୍ରତିଶତ ।

ଏଥିରୁ ଜଣାପଡ଼ୁଛି କେନ୍ଦ୍ର ସରକାର ଜନସାଧାରଣଙ୍କ ଆଗରେ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ଉଜ୍ୱଳା ଯୋଜନାକୁ ନେଇ ନିଜର ପୁରା କାର୍ଯ୍ୟକ୍ରମ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ ରଖିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ରାଜନଗରରେ ହଜାର ହଜାର ଜାଲ ହିତାଧିକାରୀଙ୍କ ନାଁରେ ଭୁତ କନେକସନକୁ ନେଇ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଏକ ସ୍କାମ ପଦାକୁ ଆସିବାପରେ ରାଜ୍ୟରେ ୩୦ଟି ଜିଲାରେ ଥିବା ୮୦୮ଟି ଏଜେନ୍ସିର ତଦନ୍ତ କରାଯିବ ବୋଲି ଇଣ୍ଡିଆନ୍ ଅଏଲ କର୍ପୋରେସନ ମୁଖ୍ୟ ମହାପ୍ରବନ୍ଧକ ପ୍ରୀତିଶ ଭାରତ କହିଥିଲେ ମଧ୍ୟ ବର୍ତମାନ ସମସ୍ତେ ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି । ପୁରା ଯାଂଚର ପ୍ରକ୍ରିୟା କେବଳ ମେସର୍ସ ରାଜନଗର ଇଣ୍ଡେନ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସୀମିତ ରହିଗଲା ଓ ଅନ୍ୟ ଏଜେନ୍ସିର ଯାଂଚ କରାଗଲା ନାହିଁ । କେନ୍ଦ୍ର ପ୍ରେଟୋଲିୟମ ମନ୍ତ୍ରୀ ୧୮୦୦ ମହିଳା ହିତାଧିକାରୀଙ୍କ ସହ ଭିଡ଼ିଓ କନ୍ଫେରନ୍ସିଂ ଜରିଆରେ ଆଲୋଚନା କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିବା ବେଳେ ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ଚୁପ ରହିଥିଲା ।

ବାଲେଶ୍ୱର ଜିଲାରେ ଉଜ୍ୱଳା ଗ୍ୟାସ ପାଇବାପାଇଁ ଅନେକ ଗରୀବ ମହିଳାଙ୍କ ଠାରୁ ଦଲାଲମାନେ ଲାଂଚ ନେଉଥିବା ଅଭିଯୋଗ ଉପରେ କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଗଲା ନାହିଁ । ଗ୍ୟାସର କଳାବଜାରୀ, ଗ୍ୟାସର ଓଜନରେ ଚଂଚକତା, ସବସିଡି ଟଙ୍କା ଆକାଉଣ୍ଟକୁ ନଆସିବା ଓ ଆସିବାରେ ଅହେତକୁ ବିଳମ୍ବ ହେବା ଆଦି ସାମନାକୁ ଆସିବାପରେ ରାଜ୍ୟ ଯୋଗାଣ ମନ୍ତ୍ରୀ ଏ ନେଇ କ’ଣ ପଦକ୍ଷେପ ନେଇଛନ୍ତି ତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ଅଧିନରେ ଥିବା କ୍ରାଇମବ୍ରାଂଚ କିମ୍ବା ଭିଚିଲାନ୍ସ ଦ୍ୱାରା ତଦନ୍ତ ନ କରି ବିଜେଡ଼ି ଗୋଳିଆ ପାଣିରୁ ଫାଇଦା ନେବାକୁ ବସିଛି । ଯୋଗାଣ ବିଭାଗ ଓଜନ ଏବଂ ମାପରେ ଠକେଇ କରୁଥିବା ଅଭିଯୋଗଭିତିରେ କେବଳ ଦୁଇ ତିନୋଟି ପେଟ୍ରୋଲ ପମ୍ପର ଯାଂଚ କରି ନୀରବ ରହିବା ବିଜେଡ଼ି ଏବଂ ବିଜେପିର ଭିତିରିଆ ସଂପର୍କକୁ ପଦାରେ ପକାଇଦେଇଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଏହି ଦୋମୁହାଁ ନୀତିକୁ କଡ଼ା ସମାଲୋଚନା କରି ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ବିହୀତ ପଦକ୍ଷେପ ନେବାପାଇଁ ଦାବୀ କରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top