Media

ଆଇଆଇଏମ୍‍ସିରେ ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ବିଶେଷ ବକ୍ତୃତା

ଦେଶକୁ ସ୍ୱାଧୀନ କରିବାରେ ଆଞ୍ଚଳିକ ଭାଷା ସମ୍ବାଦପତ୍ରଗୁଡ଼ିକର ବେଶ୍‍ ଭୂମିକା ରହିଥିଲା । ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଉଥିବା ଭାରତୀୟ ଭାଷାର ଖବରକାଗଜଗୁଡ଼ିକ ଲୋକଙ୍କ ମନରେ ଦେଶପ୍ରେମର ମଞ୍ଜି ବୁଣିବା ସହ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍‍ ତଥା ସୁଲେଖକ ସୁବୀର ଘୋଷ ।
   ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ‘ଭାରତର ସ୍ୱାଧୀନତା ସଂଗ୍ରାମରେ ଆଞ୍ଚଳିକ ଭାଷା ସମ୍ବାଦପତ୍ରର ଭୂମିକା’ ଉପରେ ଏକ ବିଶେଷ ବକ୍ତୃତା ଅନୁଷ୍ଠିତ ହୋଇଛି । ଏଥିରେ ବକ୍ତା ଭାବେ ଯୋଗଦେଇ ଶ୍ରୀ ଘୋଷ କହିଛନ୍ତି, ସ୍ୱାଧୀନତା ପୂର୍ବରୁ ବିଭିନ୍ନ ଭାରତୀୟ ଭାଷାରେ ଯେତେସବୁ ଖବରକାଗଜ ବାହାରୁଥିଲା ସେଥିମଧ୍ୟରୁ ଅନେକଙ୍କ ଶତ୍ରୁ ଥିଲା ବ୍ରିଟିଶ୍‍ । ଅର୍ଥାତ୍‍ ଅଧିକାଂଶ ଖବରକାଗଜରେ ବ୍ରିଟିଶ ଶାସନ ବିରୋଧୀ ଖବର ହିଁ ବାହାରୁଥିଲା । ରାଜା ରାମମୋହନ ରାୟଙ୍କଠାରୁ ଆରମ୍ଭ କରି ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଭୁପେନ୍ଦ୍ରନାଥ ଦତ୍ତ, ଗୌରୀଶଙ୍କର ରାୟ, ଗୋପବନ୍ଧୁ ଦାସ, ବାଲ ଗଙ୍ଗାଧର ତିଲକ, ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ଅନେକେ ନିଜ ଖବରକାଗଜରେ ବ୍ରିଟିଶ ଶାସନକୁ ଖୋଲାଖୋଲି ବିରୋଧ କରୁଥିଲେ । ଡ. ଘୋଷ ଏକ ଉଦାହରଣ ଦେଇ କହିଛନ୍ତି, ଭାରତ ଇତିହାସର ଅନ୍ୟତମ ମୁଖ୍ୟ ଘଟଣା ଥିଲା ନୀଳ ବିଦ୍ରୋହ । ବ୍ରିଟିଶ୍‍ ନୀଳ ବ୍ୟବସାୟୀମାନେ ଭାରତୀୟ ଚାଷୀଙ୍କୁ ଧାନ, ଗହମ ବଦଳରେ ନୀଳ ଚାଷ କରିବାକୁ ବାଧ୍ୟ କରୁଥିଲେ । ଏହା ବିରୋଧରେ ବିହାର, ବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ବେଶ୍‍ ବିଦ୍ରୋହ ଦେଖାଦେଇଥିଲା । ଚାଷୀମାନେ ନ୍ୟାୟ ପାଇଁ ପୁଲିସ୍‍ ପାଖକୁ ଯିବା ବଦଳରେ ‘ହିନ୍ଦୁ ପେଟ୍ରିଅଟ୍‍’ର ସମ୍ପାଦକ ହରିଶ ଚନ୍ଦ୍ର ମୁଖାର୍ଜୀଙ୍କ ଦ୍ୱାରସ୍ଥ ହୋଇଥିଲେ । ପରଦିନ ସେ ବ୍ରିଟିଶ ନୀଳ କମ୍ପାନୀର ବେନିୟମ ତଥା ଭାରତୀୟ ଚାଷୀଙ୍କୁ ଶୋଷଣ ବିରୋଧରେ ଲେଖିଥିଲେ ‘ଭଏସ୍‍ ଅଫ୍‍ ଦି ଭଏସ୍‍ଲେସ୍‍’ । ଏହା ଖୁବ୍‍ ପ୍ରଭାବ ପକାଇଥିଲା । ସେହିପରି ଅନ୍ୟତମ ବଙ୍ଗଳା ଖବରକାଗଜ ‘ସୋମପ୍ରକାଶ’ ମଧ୍ୟ ନୀଳ ବ୍ୟବସାୟଙ୍କ ଶୋଷଣ ସମ୍ପର୍କିତ ଖବର ପ୍ରକାଶ କରିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି’ ସେ ସମୟରେ ଖବରକାଗଜଗୁଡ଼ିକର ବିତରଣ ବହୁତ କମ୍‍ ଥିଲା । ହେଲେ ଖଣ୍ଡିଏ ଖବରକାଗଜ ଅନେକ ଲୋକଙ୍କ ପାଖରେ ପହଞ୍ଚିପାରୁଥିଲା । କେହି ଯଦି ଖବରକାଗଜ ପାଉଥାଏ, ତାକୁ ସଙ୍ଗେସଙ୍ଗେ ଗ୍ରାମବାସୀଙ୍କ ଆଗରେ ସେ ପଢ଼ି ଖବରର ପ୍ରସାର କରୁଥିଲା । ଏହିପରି ଭାବେ ବ୍ରିଟିଶ ବିରୋଧୀ ମନୋଭାବ ଦ୍ରୁତ ଗତିରେ ବଢ଼ିଥିଲା । ଭାରତୀୟ ଖବରକାଗଜଗୁଡ଼ିକ ତୃଣମୂଳସ୍ତରର ଲୋକଙ୍କ ପାଖରେ ପହଞ୍ଚିପାରୁଥିଲା । ଏହିସବୁ ପତ୍ରପତ୍ରିକା ବ୍ରିଟିଶ ସରକାର ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଥିବା ଅନୁଭବ କରିବା ପରେ ୧୮୭୮ରେ ‘ଭର୍ଣ୍ଣାକୁଲାର ପ୍ରେସ୍‍ ଆକ୍ଟ’ ପ୍ରଣୟନ କରାଗଲା । ଫଳରେ ସମସ୍ତ ଭାରତୀୟ ଭାଷାର ଖବରକାଗଜ ସେନ୍‍ସରସିପ୍‍ ଅଧୀନକୁ ଆସିଗଲେ । ତେବେ ବଙ୍ଗଳା ଭାଷାରେ ପ୍ରକାଶ ପାଉଥିବା ‘ଅମୃତ ବଜାର’ ପତ୍ରିକା ରାତାରାତି ଇଂରାଜୀରେ ପ୍ରକାଶିତ ହେଲା । କାରଣ, ଏହି ସେନ୍‍ସରସିପ୍‍ କେବଳ ଭାରତୀୟ ଭାଷା ପାଇଁ ଥିଲା । ‘ଅମୃତ ବଜାର’ ପତ୍ରିକାର ଏପ୍ରକାର କୌଶଳ ପରେ ପ୍ରେସ୍‍ର ଶକ୍ତି ଅନୁଭବ କଲେ ସମସ୍ତେ । ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ପ୍ରାନ୍ତରରେ ପ୍ରକାଶିତ ଖବରକାଗଜଗୁଡ଼ିକରେ ବ୍ରିଟିଶ ବିରୋଧୀ ସ୍ୱର ତେଜିବାରେ ଲାଗିଲା । 
 
ଶ୍ରୀ ଘୋଷ ଆହୁରି କହିଛନ୍ତି, ବ୍ରିଟିଶ ସରକାରଙ୍କ ସହ ଲଢ଼ିବାର ମୁଖ୍ୟ ଆୟୁଧ ଥିଲା ଭାରତୀୟ ଭାଷାର ଖବରକାଗଜ । ଖବରକାଗଜ ମାଧ୍ୟମରେ ହିଁ ଲୋକଙ୍କ ମଧ୍ୟରେ ବ୍ରିଟିଶ ବିରୋଧୀ ମନୋଭାବ ସୃଷ୍ଟି କରାଯାଇପାରୁଥିଲା । ଏହାସହ ସାମାଜିକ ସୁଧାର ଆଣିବାରେ ମଧ୍ୟ ଖବରକାଗଜଗୁଡ଼ିକର ଅଭିଯାନ ଅନେକ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । 
 
ସ୍ୱାଗତ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ୧୮୬୬ରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉକ୍ରଳ ଦୀପିକା’ ପ୍ରକାଶ ପାଇଥିଲା । ଏହାର ପ୍ରତିଷ୍ଠାତା ସମ୍ପାଦକ ଗୌରୀଶଙ୍କର ରାୟ ନିଜ ସମୟର ବହୁତ ଆଗକୁ ଚିନ୍ତା କରିପାରୁଥିଲେ ।  ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଏହି ଖବରକାଗଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପ୍ରାୟ ୭୦ ବର୍ଷ ଧରି ଏହା ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଥିଲା । ସ୍ୱାଧୀନତା ଆଣିବାରେ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଖବରକାଗଜଗୁଡ଼ିକର ମଧ୍ୟ ଅନେକ ଭୂମିକା ରହିଥିଲା । ତେବେ ଇଂରାଜୀ ଖବରକାଗଜ ତୁଳନାରେ ଆଞ୍ଚଳିକ ଭାଷାର ଖବରକାଗଜଗୁଡ଼ିକ ସ୍ୱାଧୀନତା ସଂଗ୍ରାମରେ ଲୋକଙ୍କ ଆବେଗିକ ସଂଯୋଗ କରିଥିଲେ ବୋଲି ଡ. ଚାଟାର୍ଜୀ କହିଛନ୍ତି । 
 
ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର । ଏହି ଅବସରରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ସଂସ୍ଥାନ ପରିସରରେ ଚାରାରୋପଣ କରିଥିଲେ
Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top