Media

ଆଇଆଇଏମ୍ସିରେ ଚାରିଦିନିଆ ଫଟୋଗ୍ରାଫି କର୍ମଶାଳା

ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ଆରମ୍ଭ ହୋଇଛି ଚାରିଦିନିଆ ଫଟୋଗ୍ରାଫି କମ ର୍ଶାଳା ‘ଫଟୋଗ୍ରାଫିଆ’ । ଏହାକୁ ଉଦ୍ଘାଟନ କରିଛନ୍ତି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ, ଜାତୀୟ ପୁରସ୍କାରପ୍ରାପ୍ତ ଫଟୋ ସାମ୍ବାଦିକ ହିମାଂଶୁ ବ୍ୟାସ ଓ ତବିନା ଅଞ୍ଜୁମ୍ କ୍ୟୁରେସି । ଚାରିଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାର ଉଦ୍ଘାଟନୀ ଅଧିବେଶନରେ ଶ୍ରୀ ବ୍ୟାସ କହିଛନ୍ତି, ଜୀବନର ମୂଳାଧାର ହେଉଛି ଭିଜୁଆଲ୍ ବା ଦୃଶ୍ୟ । ଯେତେବେଳେ ଆମେ କୌଣସି କଥା ଶୁଣିଥାଉ ବା ସ୍ପର୍ଶ କରୁଥାଉ ସେତେବେଳେ ସଙ୍ଗେସଙ୍ଗେ ଆମ ମନ ଭିତରେ ଏକ ଦୃଶ୍ୟ ଆଙ୍କି ହୋଇଯାଏ । ଏହି ଭିଜୁଆଲ୍ର ଏକ ଭାଷା ରହିଛି । ଏହା ବେଶ୍ ଶକ୍ତିଶାଳୀ । ଏମିତିକି ଦୃଷ୍ଟିହୀନ ଲୋକଙ୍କ ମନରେ ବି ଭିଜୁଆଲ୍ ରହିଥାଏ । ସେହିପରି ଫଟୋଗ୍ରାଫିର କ୍ରମବିକାଶ ଧୀରେଧୀରେ ହୋଇଥିବା ସେ କହିଛନ୍ତି । ଶହେ ବର୍ଷ ଆଗରୁ ଫଟୋଗ୍ରାଫ୍କୁ କେବଳ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା । ଏହା ସେତେବେଳର ସବୁଠୁଁ ବଡ଼ ପ୍ରଚାର ଉପକରଣ ଭାବେ କାର୍ଯ୍ୟ କରୁଥିଲା । ୧୯୩୦ରୁ ୧୯୭୦ ପର୍ଯ୍ୟନ୍ତ ଫଟୋ ସାମ୍ବାଦିକତାର ଗୁରୁତ୍ୱ ବଢ଼ିବାରେ ଲାଗିଲା । ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ୍ ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ମୁଦ୍ରାସ୍ଫିତିବେଳେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଫଟୋ ସାମ୍ବାଦିକଙ୍କୁ ରଖିବାକୁ ଚାହିଁଲେ ନାହିଁ । ଫଳସ୍ୱରୂପ ଅନେକେ ଫଟୋ ସାମ୍ବାଦିକତା ଛାଡ଼ିବାକୁ ବାଧ୍ୟ ହୋଇ ଅନ୍ୟ କ୍ଷେତ୍ରକୁ ଗଲେ । ତେବେ ୨୦୦୯ ପରଠାରୁ ବହୁ ଗଣମାଧ୍ୟମ ସଂସ୍ଥାରେ ସାମ୍ବାଦିକମାନଙ୍କୁ ଫଟୋ ଉଠାଇବା ପାଇଁ କୁହାଯାଉଛି । ଅଧିକାଂଶ ଗଣମାଧ୍ୟମରେ ସ୍ୱତନ୍ତ୍ର ଫଟୋ ସାମ୍ବାଦିକଙ୍କୁ ଆଉ ରଖାଯାଉନି । ତେଣୁ ସାମ୍ବାଦିକମାନେ ଫଟୋ ଉଠାଇବାର କଳା ନିହାତି ଜାଣିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସେହିଭଳି ତବିନା ଅଞ୍ଜୁମ୍ କ୍ୟୁରେସି କହିଛନ୍ତି, ଯୁଗ ବଦଳିଛି ।

ଏହାର ତାଳେତାଳେ ଆମକୁ ବି ବଦଳାଇବାକୁ ପଡ଼ିବ । ପୂର୍ବରୁ କ୍ୟାମେରା ଅନେକଙ୍କ ପାଖରେ ନଥିଲା । ଏବେ କିନ୍ତୁ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ତେଣୁ ଫଟୋଗ୍ରାଫିର ପର୍ଯ୍ୟାପ୍ତ ସୁଯୋଗ ଏବେ ରହିଛି । ତା’ ମାନେ ନୁହେଁ ଯେ ଯେଉଁମାନେ ଫଟୋ ଉଠାଉଛନ୍ତି ସମସ୍ତେ ଜଣେ ଜଣେ ଫଟୋ ସାମ୍ବାଦିକ । କାରଣ ଫଟୋଗ୍ରାଫର୍ ଓ ଫଟୋ ସାମ୍ବାଦିକଙ୍କ ଭିତରେ ଅନେକ ଫରକ୍ । ତେଣୁ ସାମ୍ବାଦିକତାର ଛାତ୍ରଛାତ୍ରୀମାନେ ଫଟୋ ସାମ୍ବାଦିକତାର ପ୍ରକୃତ କୌଶଳ ଜାଣିବା ଦରକାର । ଫଟୋ ସାମ୍ବାଦିକତାର ସବୁଠୁଁ ମୁଖ୍ୟ ଉପାଦାନ ହେଉଛି ଏହାର ଯଥାର୍ଥତା (ଅବ୍ଜେକ୍ଟିଭିଟି) । ଯେପରି ଖବରରେ ଯଥାର୍ଥତା ଥାଏ, ସେହିଭଳି ଫଟୋରେ ମଧ୍ୟ ଏହା ପ୍ରତିଫଳିତ ହେବା ଆବଶ୍ୟକ । ଏହାସହ ଫଟୋଟି ସ୍ପଷ୍ଟ ହେବା ସହ ଏଥିରୁ କିଛି ବାର୍ତ୍ତା ଆସିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି । ସ୍ୱାଗତ ଭାଷଣ ପ୍ରଦାନ କରି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଫଟୋ ଉଠାଇବାର ଏକ କୌଶଳ ରହିଛି । ହେଲେ ବହୁ କାର୍ଯ୍ୟରତ ସାମ୍ବାଦିକ ଫଟୋ ଉଠାଇବାର ଏହି କଳା ଉପରେ ସଚେତନ ନୁହନ୍ତି । ସେଥିପାଇଁ ଏ କର୍ମଶାଳାର ଆୟୋଜନ ।

ଏଥିରେ ଯୋଗଦେଇଥିବା ସାମ୍ବାଦିକତା ଛାତ୍ରଛାତ୍ରୀମାନେ ଫଟୋ ସାମ୍ବାଦିକତାର ଖବର ଉପଲବ୍ଧି ଜାଣିପାରିବେ । ଏହାସହ ଫଟୋ ସାମ୍ବାଦିକତାର ଗୁରୁତ୍ୱ କେତେ, ଏହାର ଇତିହାସ, ଫଟୋର ଯାତ୍ରା, ଫଟୋ ଉଠାଇବାର କାରଣ କ’ଣ ଆଦି ଉପରେ ବିସୃତ ଆଲୋଚନା ହେବ । ଏହା ନିଶ୍ଚିତଭାବେ ସମସ୍ତଙ୍କ ପାଇଁ ଉପାଦେୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ହିମାଂଶୁ ବ୍ୟାସ ଓ ତବିନା ଅଞ୍ଜୁମ୍ କ୍ୟୁରେସିଙ୍କ ତତ୍ତ୍ୱାବଧାନ ଓ ସଂଯୋଜନାରେ ଚାଲିଥିବା ଏହି କର୍ମଶାଳାରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଓ ସମ୍ବାଦ ସ୍କୁଲ୍ ଅଫ୍ ମିଡିଆର ୧୪ ଜଣ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି । କର୍ମଶାଳାରେ ଫଟୋ ସାମ୍ବାଦିକତାର ବିଭିନ୍ନ ବିଭବ ଓ ଫଟୋଗ୍ରାଫିର ବୈଷୟକ ଦିଗ ଉପରେ ଆଲୋଚନା କରାଯିବା ସହ ଅଭ୍ୟାସ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଏହା ଉପରେ ଅବଗତ କରାଯିବାର କାର୍ଯ୍ୟସୂଚୀ ରହିଛି

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top